ରୋଷେଇ ଗ୍ୟାସକୁ ନେଇ ତେଜିଲା ରାଜନୀତି : ଭୁବନେଶ୍ୱରର ୩ଟି ସ୍ଥାନରେ ବିଜେଡି ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା

ଦର ବୃଦ୍ଧି ପ୍ରତିବାଦରେ କଟକ ଆରଡିସି ଅଫିସ ଘେରିବ ବିଜେଡି

207

କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପା‌ଖେଇ ଆସୁଛି ରାଜଧାନୀ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ, ଭୁବନେଶ୍ବର ପକ୍ଷରୁ ସହରର ତିନୋଟି ସ୍ଥାନରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି ।

ବିଜେଡି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନରେ ଭୁବନେଶ୍ବର ତିନି ନିର୍ବାଚନମଣ୍ଡଳୀରେ ଦଳ ପ୍ରତିବାଦ ସଭା କରିବ । ବିଜେଡି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‌ ଅଫିସ୍‌ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେଡି ମଧ୍ୟ ଭୁବନେଶ୍ବର ପକ୍ଷରୁ ୟୁନିଟ୍‌-୫ସ୍ଥିତ ଏଡିଏମ୍‌ ଅଫିସ୍‌ ସମ୍ମୁଖ ଏବଂ ଏକାମ୍ର ଭୁବନେଶ୍ବର ପକ୍ଷରୁ କଳ୍ପନା ଛକ ନିକଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବ ।

ସବୁ ନିର୍ବାଚନମଣ୍ଡଳୀର ପ୍ରତିବାଦ ସଭାରେ ୩ ହଜାରରୁ ଅଧିକ ମହିଳା, ଯୁବ ଓ ଛାତ୍ରମାନେ ସାମିଲ ହେବେ । ପ୍ରାୟ ୩ ଘଣ୍ଟା ଧରି ଚାଲିବାକୁ ଥିବା ଏହି ଗଣଧାରଣାରେ ବହୁ ସଂଖ୍ୟାରେ ବସ୍ତିବାସିନ୍ଦା ସାମିଲ ହେବେ । ଜନଗହଳିପୂର୍ଣ୍ଣ ଜୟଦେବ ବିହାର-ନନ୍ଦନକାନନ ରାସ୍ତାପାର୍ଶ୍ବରେ ଥିବା ଆଇଓସିଏଲ୍‌ ଅଫିସ୍‌ ସମ୍ମୁଖରେ ବିଜେଡି ପ୍ରତିବାଦ ସଭା କରିବାକୁ ଥିବାରୁ ରାସ୍ତା ଜାମ ହେବାର ଆଶଙ୍କା ରହିଛି। ତେଣୁ ଯଦି ରାସ୍ତା ଜାମ୍‌ ହୁଏ ତେବେ ରାସ୍ତା ଡାଇଭର୍ଟ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । କଟକ ସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଜେଡି ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ସମ୍ବଲପୁର ଓ ବୁଧବାର ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି । ସେପଟେ ବିଜେପି କହିଛି ନିର୍ବାଚନ ପାଇଁ ବିଜେଡି ଏଭଳି ଆନ୍ଦୋଳନ କରୁଛି । ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପ୍ରତିବାଦ କରିଥିଲା । କିନ୍ତୁ କେନ୍ଦ୍ର ସରକାର ତେଲ ଉପରୁ ଟିକସ ଛାଡ କରିବା ପରେ ଦର ହ୍ରାସ ପାଇଥିଲ।। ଆଉ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ବିଜେଡି । ଯଦି ରୋଷେଇ ଗ୍ୟାସ ଦର ନକମିବ ତାହେଲେ ପ୍ରତିବାଦ କରିବ ବୋଲି ବିଜେଡି କହିଥିଲା ।