ଓଡିଶା ବନ୍ଦକୁ ପ୍ରତ୍ୟାଖାନ କଲେ ଚାଷୀ, ସଫଳ ହେଲାନି ବିଜେପି ଷଡ଼ଯନ୍ତ୍ର ! ଚାଷୀ ଭାଇଙ୍କୁ ଧନ୍ୟବାଦ ଜଣାଇଲା ବିଜେଡି 

361

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ଡାକରାରେ ଓଡିଶା ବନ୍ଦ ପାଳନକୁ ରାଜ୍ୟବାସୀ ବିଶେଷ କରି ରାଜ୍ୟର ଚାଷୀଭାଇମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ବିଜୁ ଜନତା ଦଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ଚାଷୀ ସମାଜ ସେମାନଙ୍କ ଅଦ୍ଭୂତପୂର୍ବ ବିଶ୍ୱାସ ଓ ଆସ୍ଥା ଅତୁଟ ରଖିଥିବା ଆଜିର ବନ୍ଦ ପାଳନ ପରେ ସ୍ପଷ୍ଟ ହୋଇଯାଇଛି । ବନ୍ଦ ପାଳନ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପିର ମୁଖା ଖୋଲି ଦେଇଥିବାରୁ ଚାଷୀଭାଇ ମାନଙ୍କୁ ଧନ୍ୟବାଦ ଜଣାଇଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,  ଓଡ଼ିଶାରେ ବନ୍ଦ ପାଳନ ନେଇ ସରକାରଙ୍କ ପକ୍ଷରୁ କୌଣସି ବାଧକ ନ ଥିଲେ ମଧ୍ୟ ସାରା ରାଜ୍ୟରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ୪୦୦ ଡ଼େଇଁ ନାହିଁ । ଏପରିକି ଅଧିକାଂଶ ଆନ୍ଦୋଳନକାରୀ ଚାଷୀ ମଧ୍ୟ ନୁହଁନ୍ତି । ଅନ୍ୟପକ୍ଷରେ ବରଗଡ଼ରେ ‘କାଳିଆ’ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସମାବେଶରେ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଲକ୍ଷାଧିକ ଚାଷୀ ଏକାଠି ହୋଇଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀ ୧୪ ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କା ‘କାଳିଆ’ ସହାୟତା ପ୍ରଦାନ କରିଥିଲେ ।  ଯାହା ସ୍ପଷ୍ଟ ଦର୍ଶାଉଥିଲା ଯେ, ରାଜ୍ୟରେ ନବୀନଙ୍କ ସହ ଚାଷୀ ଅଛନ୍ତି ।

ଏହାଛଡା ନବ ନିର୍ମାଣ କୃଷକ ସଂଗଠନକୁ ଅସ୍ତ୍ର କରି ବିଜେପି ଯେଉଁ ଷଡଯନ୍ତ୍ର ରଚିଥିଲା ତାହା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ରାଜ୍ୟର ଚାଷୀ ସମାଜ ତାହାକୁ ସଫଳ କରାଇ ଦେଇନାହାନ୍ତି । ଆନ୍ଦୋଳନ ପଛରେ ବିଜେପିର ହାତ ଥିଲା ଏହା ସ୍ପଷ୍ଟ ହୋଇଛି କାରଣ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି ପାଇଁ ବିଜେପି ସରକାର ପ୍ରତିଶୃତି ଦେଇଥିଲେ ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ । ସେହିଭଳି ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବାକୁ ଦେଇଥିବା ପ୍ରତିଶୃତି ମଧ୍ୟ ପାଳନ କଲେ ନାହିଁ ମୋଦି ସରକାର । ଆଉ ଚାଷୀ ମାନଙ୍କର ଏହି ଦୁଇଟି ମୁଖ୍ୟ ପ୍ରସଙ୍ଗକୁ ସତେ ଯେମିତି ଆଜି ଭୁଲି ଯାଇଥିଲେ ଆନ୍ଦୋଳନକାରୀ । ତେବେ ବିଜେପିର ଏହି ଷଡଯନ୍ତ୍ରରେ ସାମିଲ ନ ହୋଇ ଚାଷୀ ଭାଇ ମାନେ ନବୀନ ସରକାର ସହ ଥିବା ବାର୍ତ୍ତା ଦେଇଛନ୍ତି ।