ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣ ଅଭିଯୋଗ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । 

264

କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଖୋର୍ଦ୍ଧା ଜଙ୍କିଆଠାରେ ପ୍ରଶାନ୍ତ ଜଗଦେବ ଜଣେ ସାମ୍ବାଦିକଙ୍କ ସହ କିଛି ସାଧାରଣ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେଡି । ଗତକାଲି ବିଜେପି ରାଲିରେ ସାଂସଦ ଅପରାଜିତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଯୁବକ କିଛି ପ୍ରଶ୍ନ ପଚାରିବାରୁ ପ୍ରଶାନ୍ତ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଏବଂ ଅପରାଜିତାଙ୍କ ସମ୍ମୁଖରେ ସବୁ ଘଟଣା ଘଟିଥିବା ବେଳେ ସାମ୍ବାଦିକ କି ସାଧାରଣ ଲୋକ ପ୍ରଶ୍ନ କଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛି ବିଜେଡି ।

ବିଜେଡିର ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ପ୍ରଶାନ୍ତଙ୍କୁ ନେଇ ଆଣିଥିବା ଅଭିଯୋଗ ଉପରେ ଗଣମାଧ୍ୟମରେ ବିସ୍ତୃତ ତଥ୍ୟ ରଖିଛନ୍ତି । ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି, ଗତକିଛି ଦିନ ହେବ ଓଡ଼ିଶା ବିଜେପିର ନେତା ମାନେ ହିଂସାତ୍ମକ ଆଚରଣ କରୁଛନ୍ତି । ଅପରାଜିତାଙ୍କୁ ପ୍ରଶ୍ନ କଲେ ଉଗ୍ର ହୋଇଯାଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଅପରାଜିତାଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟୁଥିଲେ ମଧ୍ୟ କାହିଁକି ଚୁପ୍ ରହିଥିଲେ ସାଂସଦ? ପ୍ରଶାନ୍ତଙ୍କୁ ଗୁଣ୍ଡାଗର୍ଦ୍ଦି କରିବାକୁ ଲାଇସେନ୍ସ ଦେଇଛନ୍ତି କି ଅପରାଜିତା? ଏପରିକି ଥାନାରେ ଏଫଆଇଆର ରୁଜୁ ବେଳେ ମଧ୍ୟ ଏହାକୁ ଗ୍ରହଣ ନ କରିବାକୁ ପୋଲିସ ଉପରେ ପ୍ରଶାନ୍ତ ଚାପ ପକାଇଥିବା କହିଛି ବିଜେଡି । ପୋଲିସ ତାଙ୍କ କଥା ନ ଶୁଣିଲେ ଇସିଆଇର ଭୟ ଦେଖାଉଥିବା କହିଛି ବିଜେଡି । ପୂରା ଘଟଣାକ୍ରମ ବାବଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି । ଗଣତନ୍ତ୍ରରେ ହିଂସା ଆଚରଣକୁ କେହି ଗ୍ରହଣ କରିବେନି । ତେଣୁ ବିଜେପି ନେତା ହିଂସା ଆଚରଣରୁ ନିବୃତ ରହିବାକୁ କହିଛି ବିଜେଡି ।