ତେଲଦର ବୃଦ୍ଧିକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ନିର୍ବାଚନ ବେଳେ ହିଁ ଦର ସ୍ଥିର ରହୁଛି, ନିର୍ବାଚନ ସରିଲେ ଦର ବଢୁଛି କହିଲା ବିଜୁ ଜନତା ଦଳ ।

245

କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ତେଲଦର ବୃଦ୍ଧିକୁ ନେଇ ବିଜେଡି ଅସନ୍ତୋଷ । ଏନେଇ ଦଳ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜାରି କରାଯିବା ସହିତ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା । ଗତ ୪ ଦିନ ହେଲା ତେଲ ଦର ପୁଣି ବଢିବା ଆରମ୍ଭ ହୋଇଥିବାବେଳେ ଏହା ମଧ୍ୟବିତ୍ତଙ୍କର ଅଣ୍ଟାକୁ ଭାଙ୍ଗିଦେଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି । ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । କରୋନା ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଆଦି କଟକଣା ଜାରି ରହିଛି । ଏଥିଯୋଗୁ ଦୋକାନ, ବଜାର ବନ୍ଦ ଏବଂ ଗାଡ଼ି ମଟର ଚଳାଚଳ ବି ପୂର୍ବାପେକ୍ଷା କମିଛି । କରୋନା ମହାମାରୀ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପର ଠାରୁ ପ୍ରତିଦିନ ତୈଳଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଯାହାକି ବୋଝ ଉପରେ ନଳିତା ବିଡ଼ା ସାଜିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଖାଲି ସେତିକି ନୁହେଁ, ନିର୍ବାଚନ ଯେତେବେଳେ ହେଉଛି, ସେତେବେଳେ ଦେଖାଯାଉଛି ଯେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଛି । ହେଲେ ନିର୍ବାଚନ ସରିବା ମାତ୍ରେ ତୈଳଦର ବଢ଼ୁଛି । ଚଳିତବର୍ଷ ଏପ୍ରିଲ୍ ୧୫ ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା । ଏହାପରେ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା । ହେଲେ ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ ତାରିଖ ଠାରୁ ତେଲଦର ବଢ଼ିଚାଲିଛି । ଦେଶର କିଛି ସହରରେ ଏବେ ପେଟ୍ରୋଲ ଦର ୧ଠଠ ପାର୍ କରିଯାଇଥିବାବେଳେ ଡିଜେଲ୍ ଲିଟର ପିଛା ୯୫ ଟଙ୍କାକୁ ବଢ଼ିଛି । ଅଧିକାଂଶ ସହରରେ ପେଟ୍ରୋଲ୍ ଦର ୧ଠଠ ନିକଟବର୍ତ୍ତୀ ରହିଛି । ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଦୃଢ଼ ଭାବେ ନିନ୍ଦା କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଗତ ୪ ଦିନରେ ୯୨ ପଇସା ପେଟ୍ରୋଲ ରେଟ୍ ବଢ଼ିଛି । ୪ ତାରିଖରେ ୧୯ ପଇସା, ୫ ତାରିଖରେ ୧୯ ପଇସା, ୬ ତାରିଖରେ ୨୫ ପଇସା ଏବଂ ୭ ତାରିଖରେ ୨୯ ପଇସା ପେଟ୍ରୋଲ୍ ଦର ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ଗତ ୪ଦିନରେ ଡିଜେଲ୍ ଦର ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି । ଅଚ୍ଛେଦିନ୍ର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ହେଲେ ସେ ଅଚ୍ଛେଦିନ୍ ନାରା ଏବେ ବୁରେଦିନରେ ପରିଣତ ହୋଇଛି । ମହଙ୍ଗା ମାଡ଼ରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ପେଟ୍ରୋଲ, ଡିଜେଲର କ୍ରମାଗତ ମୂଲ୍ୟବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି ବୋଲି ବିଜେଡି କହିଛି ।

ଚଳିତ କେନ୍ଦ୍ର ବଜେଟ୍ରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସରକାର କୃଷି ସେସ୍ ଲଦି ଦେଇ ଆଶ୍ୱାସନା ଦେଇଥିଲେ କି ତୈଳଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି । ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବକ୍ତବ୍ୟ ପାଣିର ଗାର ସଦୃଶ ହୋଇଛି । ଟିକସ ପରେ ଟିକସ ଲଦି ଜନସାଧାରଣଙ୍କୁ ଶୋଷଣ କରାଯାଉଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଯେତିକି ରହିଛି, ତା’ ଉପରେ ବିଭିନ୍ନ ଶୁଳ୍କ ଲଦି ଦେବାରୁ ଏହା ଦର ତିନିଗୁଣ ହୋଇଯାଉଛି । କେନ୍ଦ୍ର ସରକାର ତୁରନ୍ତ ତୈଳଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।