କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି ଦୋହରାଉଥିବା ବେଳେ କାଉଣ୍ଟର ଆଟାକ କରିଛି ବିଜେଡି  । ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି ବିଜେଡି କହିଛି ଯେ, ନିର୍ବାଚନ ଆସିଲେ ଏ ଦୁଇ ଦଳଙ୍କର ନାରୀ ସୁରକ୍ଷା କଥା ମନେପଡ଼େ  । ଇତିଶ୍ରୀ ଓ କୁନ୍ଦୁଲି ପୀଡ଼ିତାଙ୍କ କଥା ଉଠାଇ ଦଳ, ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି  ।

Advertisment

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ବିରୋଧୀ କାଠଗଡ଼ାକୁ ଟାଣୁଥିବା ବେଳେ ଇତିଶ୍ରୀ ଓ କୁନ୍ଦୁଲି ମାମଲାର ଭିଡିଓ ଦେଖାଇ କଡ଼ା ସମାଲୋଚନା କରିଛି ଶାସକ ଦଳ । ପ୍ରେସମିଟ୍ କରି ଉଭୟ କଂଗ୍ରେସ ଓ ବିଜେପିକୁ କଟାକ୍ଷ କରି ବିଜେଡି କହିଛି, କେବଳ ନିର୍ବାଚନ ବେଳେ ପୀଡିତା ମହିଳାଙ୍କ କଥା ମନେ ପଡ଼େ ।

୨୦୧୪ ନିର୍ବାଚନ ପୂର୍ବରୁ ଇତିଶ୍ରୀ ମାମଲାରେ ତମ୍ବିତୋଫାନ କରିଥିଲେ ବିରୋଧୀ । ସିବିଆଇ ତଦନ୍ତ ପାଇଁ ଦାବି ଉଠାଇଥିଲେ । କିନ୍ତୁ କ୍ରାଇମବ୍ରାଂଚ ତଦନ୍ତ ଠାରୁ ଅଧିକ କିଛି ହାସଲ କରିପାରିନଥିଲା ସିବିଆଇ । ଅନ୍ୟପଟେ ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଜୟରାମ ପାଙ୍ଗିଙ୍କୁ ପରେ ଦଳରେ ସାମିଲ କରିଥିଲା ବିଜେପି । ସେ ଦଳର ଆସେଟ୍ ବୋଲି ମଧ୍ୟ କହିଥିଲେ ବିଜେପି ନେତା ।

ବିଜେଡି ଆକ୍ଷେପ କରି କହିଛି, ନିର୍ବାଚନକୁ ଆଖି ଆଗରେ ରଖି ଇତିଶ୍ରୀ ମାମଲା ଉଠାଇଥିବା  ବେଳେ ବିଜେପୁର ଉପନିର୍ବାଚନ ଆସିଲା, କୁନ୍ଦୁଲି ନାବାଳିକା ଦୁଷ୍କର୍ମ ମାମଲାରେ ଆରମ୍ଭ ହେଲା ରାଜନୀତି । ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା ବିରୋଧୀ । ହେଲେ ନ୍ୟାୟ ଦେବା ବଦଳରେ ଥିଲା ନିର୍ବାଚନ ଜିତିବାର ଉଚ୍ଚ ଆକାଂକ୍ଷା । ଅନ୍ୟପଟେ ଅତୀତର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରି ବିଜେଡି ପ୍ରେସମିଟ୍ କରୁଥିବା ବେଳେ ରାଜରାସ୍ତାରେ କିନ୍ତୁ ବିଜେପି ଆନ୍ଦୋଳନ ଜାରି ରଖିଛି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଡି ବସିଛି ଦଳ ।