ଆୟୁଷ୍ମାନ ଯୋଜନାକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍ । ବିଜେଡି କହିଲା ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି

174

କନକ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପି ବନାମ ବିଜେଡି । ସାଧାରଣ ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୭,୨୦୦ କୋଟିର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ରାଜ୍ୟ ସରକାର । ବିଜେଡି କହିଛି, ଦେଶର ୨୮ଟି ରାଜ୍ୟ ଓ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୭,୨୦୦ କୋଟି ଟଙ୍କା ଯଥେଷ୍ଟ ନୁହେଁ । ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ଜିଲ୍ଲା ପାଇଁ ୨୦୦ କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ।

  • ଆୟୁଷ୍ମାନ ଭାରତ ଯୋଜନା ନେଇ ବୟାନବାଜି
  • ବିଜେଡି କହିଲା ଲୋକଙ୍କୁ ଭୁଆଁ ବୁଲାଉଛି ବିଜେପି

ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ୭,୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ବର୍ଷ ଅପେକ୍ଷା ଏହା ୧୨ ପ୍ରତିଶତ ଅଧିକ । ହେଲେ ଏହି ଆବଣ୍ଟନ ବିଜେଡିକୁ ସନ୍ତୁଷ୍ଟ କରିପାରିନାହିଁ । ବଜେଟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେବା ପରେ ଆଜି ପ୍ରେସ୍ମିଟ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି ।

ଆୟୁଷ୍ମାନ ଭାରତ ଯୋଜନାର ହିସାବ ଦେଇ ଦଳ ପକ୍ଷରୁ କୁହାଯାଇଛି

  • ବଜେଟରେ ମୋଟ ବ୍ୟୟବରାଦ ୭,୨୦୦ କୋଟି ଟଙ୍କା
  • ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳକୁ ହିସାବକୁ ନେଲେ ଓଡ଼ିଶା ଭାଗରେ ପଡ଼ିବ ୨୦୦ କୋଟି ଟଙ୍କା
  • ଓଡ଼ିଶାରେ ବିଏସକେୱାଇ ପାଇଁ ୬,୦୦୦ କୋଟି ଖର୍ଚ୍ଚ ହେଉଛି
  • ପ୍ରତି ଜିଲ୍ଲା ପାଇଁ ହାରାହାରି ୨୦୦ କୋଟି ଟଙ୍କା

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହୋଇ ଲୋକଙ୍କ ସ୍ୱାର୍ଥକୁ ନବୀନ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଆସୁଛନ୍ତି ବିଜେପି ନେତା । ବଜେଟରେ ବ୍ୟୟବରାଦ ପରେ ବିଜେଡି ପ୍ରଶ୍ନ କରିଛି ଯେ, ସ୍ୱାସ୍ଥ୍ୟସେବା ପାଇଁ ଗୋଟିଏ ଜିଲ୍ଲାର ବ୍ୟୟବରାଦରେ ପୂରା ରାଜ୍ୟକୁ ସାମିଲ କରିବାକୁ ଚାହୁଁଛି କି ରାଜ୍ୟ ବିଜେପି?ଲୋକଙ୍କୁ ବିଜେପି ଭୁଆଁ ବୁଲାଉଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

ଅନେକ ସମୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ବଜେଟ ପରେ ପୁଣିଥରେ ସାମନାକୁ ଆସିଛି ଦୁଇ ଦଳ ମଧ୍ୟରେ କଥା କଟାକଟି ।