ବିଜେଡି ଟାର୍ଗେଟରେ ଜାଭଡେକର ! କାହା ଇସାରାରେ ପରିଚାଳିତ ହେଉଛି ସିବିଆଇ

25

କନକ ବ୍ୟୁରୋ : ଚିଟଫଣ୍ଡ ଦୁର୍ନୀତି ତଦନ୍ତ ନେଇ ବିଜେଡି- କେନ୍ଦ୍ରମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ସିବିଆଇକୁ ବିଜେପି ବ୍ୟବହାର କରୁଛି କି ? କେନ୍ଦ୍ରମନ୍ତ୍ରୀ ଜାଭଡେକର କଣ ସିବିଆଇ ମୁଖପାତ୍ର ? ଜାଭଡେକର ସିବିଆଇର କେଉଁ ଅଧିକାରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସିବିଆଇ କଣ ପ୍ରତିଦିନ ଜାଭଡେକରଙ୍କୁ ରିପୋର୍ଟ କରେକି ବୋଲି କହି ସମାଲୋଚନା କରିଛନ୍ତି ପ୍ରସନ୍ନ । ଜାଭଡେକରଙ୍କ ମନ୍ତବ୍ୟରେ ବିଜେଡି ଭୟଭୀତ ନୁହେଁ । ଧମକ ଦେଇ ବିଜେଡିକୁ କେହି ଡରାଇପାରିବେ ନାହି ବୋଲି ସେ କହିଛନ୍ତି ।

ଗତ ଗୁରବାର ଦିନ ଓଡିଶା ଆସିଥିବାବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପୁରୀରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ଚିଟଫଣ୍ଡ ମାମଲାରେ ବିଜେଡିର କିଛି ସାଂସଦ ଓ ବିଧାୟକ ଜେଲ ଯାଇଛନ୍ତି । ଆଗକୁ ମଧ୍ୟ ଆଉ କିଛି ବିଧାୟକ ଓ ସାଂସଦ ଜେଲ ଯିବେ । ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛି । ଦଳ ପ୍ରଶ୍ନ କରିଛି, ସିବିଆଇ କଣ ବିଜେପି ଇସାରାରେ କାମ କରୁଛି । ଭାରତ ସରକାର କଣ ସିବିଆଇକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ସଂଘୀୟ ବ୍ୟବସ୍ଥା ପ୍ରତି ଏହା କୁଠାରଘାତ । ଧମକ ଦେଇ ଆମକୁ କେହି ରୋକିପାରିବେନି । ତଦନ୍ତ ନାଁରେ ରାଜନୀତିକରଣ କରାଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି । ଦଳ କହିଛି, ବିଜେଡି ଆତଙ୍କିତ ନୁହେଁ , ଦଳ ସବୁ ତଦନ୍ତ ପାଇଁ ପ୍ରସ୍ତୁତ । ସିବିଆଇ ତଦନ୍ତରେ ଆମେ ସହଯୋଗ କରିଛୁ ଓ ସହଯୋଗ କରିବୁ ।