ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ର ! କହିଲା, ‘ଆହାର’କୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର, ଉଚିତ୍ ଜବାବ ଦେବେ ଓଡ଼ିଶାବାସୀ ।

514

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ନିଶାନା । ‘ଆହାର’ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲ ଅଭିଯୋଗ କରିଛି ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ୨୦୧୫ ଉତ୍କଳ ଦିବସରୁ ସହରାଞ୍ଚଳର ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ବନ୍ଦ କରିବାକୁ ସାଘାଂତିକ ଷନଯନ୍ତ୍ର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଥି ପାଇଁ ଏମସିଏଲ୍, ନାଲକୋ ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଚୁକ୍ତିବଦ୍ଧ ହୋଇଥିଲେ ଆହାର ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ୩ଟି ଯାକ କେନ୍ଦ୍ରୀୟ ଉଦ୍ୟୋଗ ନିଜର ଅକ୍ଷମତା ପ୍ରକାଶ କରି ଏହି କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି ।

ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସମାଲୋଚନା କରି କହିଛନ୍ତି କି, ‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀ ଆହାର ଯୋଜନାରୁ ବଂଚିତ ହେବାକୁ ଯାଉଛନ୍ତି । ନାଲକୋ, ଏମସିଏଲ, ଆରଏସପି ଟଙ୍କା ଦେବାକୁ ପଛଘୁଂଚା ଦେଉଛନ୍ତି । ଧର୍ମେନ୍ଦ୍ରଙ୍କ ଚାପରେ ସିଏସଆର ଫଣ୍ଡ ଦେବାକୁ ପଛଘୁଂଚା ଦେଉଛନ୍ତି । ଏହି ଟଙ୍କାକୁ କେନ୍ଦ୍ରମନ୍ତ୍ରୀ ପଡ଼ୋଶୀ ରାଜ୍ୟ ବିହାର ପାଇଁ ଉପଯୋଗ କରୁଛନ୍ତି । ତେଣୁ ଓଡିଶାବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି କହିଛି ବିଜେଡି ।

ସେହିଭଳି ଆମ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ହୀନ ଚକ୍ରାନ୍ତ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ତା ଯୋଗୁଁ କାହାରି ବିନା ସହଯୋଗରେ ପ୍ରତିଦିନ ୧ଲକ୍ଷ ଲୋକଙ୍କୁ ସହରରେ ‘ଆହାର’ ମିଳୁଛି । ଏପର୍ଯ୍ୟନ୍ତ ସହରାଞ୍ଚଳର ଅଭାବୀ ମହିଳା, ଶ୍ରମିକ, ଦିନ ମଜୁରିଆ ଏବଂ ଅଭାବୀ ଲୋକଙ୍କୁ ୮ କୋଟି ୨୦ ଲକ୍ଷରୁ ଅଧିକ ମିଲ୍ ଯୋଗାଇ ଦିଆଗଲାଣି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପରାଜୟର ଭୟ ଯୋଗୁଁ ଏଭଳି ଓଡ଼ିଶାବାସୀଙ୍କ ‘ଆହାର’ ଉପରେ ପ୍ରହାର ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।