ପୁଣି ବୈଜୟନ୍ତଙ୍କୁ ଘେରିଲା ବିଜେଡି । ମନି ଲଣ୍ଡରିଂରେ କଳା ଟଙ୍କାକୁ ଧଳା କରିଛନ୍ତି ବୈଜୟନ୍ତ, ଉଚିତ୍ ଜବାବ ଦେବେ କେନ୍ଦ୍ରାପଡ଼ାବାସୀ ।

216

କନକ ବ୍ୟୁରୋ: ପୁଣି ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗ । କଳା ଟଙ୍କାକୁ ଧଳା କରିବାରେ ବୈଜୟନ୍ତ ରଚିଥିଲେ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ବାହାମସ୍ ଓ ବୈଜୟନ୍ତଙ୍କ ଭିତିରି ବୁଝାମଣା ଯୋଗୁଁ ବିଦେଶରୁ ଟଙ୍କା ଆଣି କଳାରୁ ଧଳା କରିଛନ୍ତି ବୈଜୟନ୍ତ । ଆଉ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ଅଭିଯୋଗ କରିଛି ବିଜେଡି ।

bjd vs baijayantaବିଜେଡି ଅଭିଯୋଗ ମୁତାବକ, ବାହାମସର ତିନୋଟି କମ୍ପାନୀ ଯଥା- ଫିନଲେ, ପିକିକା ଓ ମେସିନା ଭଳି କମ୍ପାନୀ ଠାରୁ ବୈଜୟନ୍ତ ତାଙ୍କ ଅରଟେଲ୍ କମ୍ପାନୀରେ ନିବେଶ କରିବାକୁ ୧୭ କୋଟି ୭୦ ଲକ୍ଷ ଟଙ୍କା ଆଣିଥିଲେ । କିନ୍ତୁ ପରେ ସେହି ଜାଲ୍ କମ୍ପାନିରେ ଥିବା ସେୟାରକୁ ଅତି ନଗଣ୍ୟ ମୂଲ୍ୟରେ ବୈଜୟନ୍ତ ମାଲିକାନାରେ ଥିବା ସଂସ୍ଥାକୁ ପଠାଇ ଦିଆଯାଇଥିଲା । ଏପରିକି ହଠାତ୍ ଏହି ତିନୋଟି କମ୍ପାନୀ ବୈଜୟନ୍ତଙ୍କୁ ୧ କୋଟି ୬୮ ଲକ୍ଷରେ ବିକ୍ରୀ କରି ଗାଏବ ହୋଇଗଲେ । ତେବେ ମଝିରେ ଯେଉଁ ୧୬ କୋଟି ରହିଲା ସେଗୁଡ଼ିକରେ ହରଣଚାଲ କରି ତାକୁ କଳାରୁ ଧଳା ଟଙ୍କାର ପରିଣତ କରାଯାଇଛି ବୋଲି ବୈଜୟନ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି ।

ଅନ୍ୟପଟେ ଯେଉଁ ତିନୋଟି କମ୍ପାନୀ ବୈଜୟନ୍ତଙ୍କୁ କୋଟି କୋଟି ଟଙ୍କା ଦେଇଥିଲେ ସେହି କମ୍ପାନୀର ମାଲିକ କିଏ ? ଏବଂ କାହିଁକି ହଠାତ୍ ୧.୫ କୋଟି ଟଙ୍କାରେ ସେହି ଜାଲ୍ କମ୍ପାନିରେ ଥିବା ସେୟାରକୁ ବୈଜୟନ୍ତ ମାଲିକାନାରେ ଥିବା ସଂସ୍ଥାକୁ ଅତି ନଗଣ୍ୟ ମୂଲ୍ୟରେ ପଠାଇ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛି ବିଜେଡି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏଭଳି ମନି ଲଣ୍ଡରିଂ ଓ କଳା ଟଙ୍କାକୁ ଧଳା କରିବା ପାଇଁ ବୁଦ୍ଧି ବିଚାରୀ ଷଡ଼ଯନ୍ତ୍ର ରଚାଯାଇଥିଲା । ଯେଉଁଥିରେ ବାହାମସ୍ ଓ ବୈଜୟନ୍ତ ଭୂମିକା ନେଇଥିଲେ । ଏବେ ଏହାର ପର୍ଦ୍ଦାଫାସ ହୋଇଛି । ଓଡ଼ିଶାବାସୀ ବୈଜୟନ୍ତଙ୍କ ଦୁଇଟି ଚେହେରାକୁ ଦେଖିକି ବୁଝି ସାରିଲେଣି । ଏହାର ଜବାବ କେନ୍ଦ୍ରାପଡ଼ାବାସୀ ଖୁବଶୀଘ୍ର ଦେବେ ବୋଲି କହିଛି ବିଜେଡି ।