ବିଜେଡିର ଅଭିଯୋଗ ! ବିଜେପିର କାମ କମ୍ କଥା ବେଶି, କୁଆଡ଼େ ଗଲା ଚାକିରି, ୫ ବର୍ଷରେ ବଢ଼ିଛି ବେକାରୀ ।

223

କନକ ବ୍ୟୁରୋ: ନିଯୁକ୍ତି ନେଇ ମୋଦି ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ, ବର୍ଷକୁ ୨ କୋଟି ନିଯୁକ୍ତି ୫ ବର୍ଷ ମଧ୍ୟରେ ଦେଶରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ ବଦଳରେ ମିଳିଛି ମାତ୍ର ୩୬ ଲକ୍ଷ ଚାକିରି । ଏହାସହ ଦେଶେରେ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି ବେକାରୀ ହାର । ଆଉ ନୋଟ୍ ବନ୍ଦୀ ଖାଇଛି ୧୫ ଲକ୍ଷ ଚାକିରି । ତଥାପି ମୁହଁଟାଣ ଛାଡ଼ି ପାରୁନି ବିଜେପି ସରକାର କହି ସମାଲୋଚନା କରିଛନ୍ତି ଅମର ।

ଦେଶର ଅର୍ଥନୀତି ଏବେ ନିଯୁକ୍ତି ବିହୀନ ଅଭିବୃଦ୍ଧି ଦେଇ ଗତି କରୁଛି ବୋଲି ଏହି ସବୁ ଚିତ୍ର ଏବେ ପ୍ରମାଣିତ ହେଉଛି । ଏହି ସମସ୍ୟା ବିଜେପି ନେତୃତ୍ୱାଧୀନ ସରକାରଙ୍କ ମନମୁଖି ଓ ଅପାରଗତା ଯୋଗୁଁ ସୃଷ୍ଟି ହୋଇଛି ବୋଲି କହିଛି ବିଜେଡି । ଦେଶର ତମାମ ଯୁବପିଢ଼ୀ ଆଜି ବେକାରୀ ସମସ୍ୟାରେ ପେଶି ହେଉଛନ୍ତି । ଅନ୍ୟପଟେ ମୋଦି ସରକାର ଉଚ୍ଚ ଅର୍ଥନୀତିକୁ ଜାବୁଡ଼ି ଧରି ବାହାବାହା ନେବାକୁ ପ୍ରୟାସ ଚଳାଇଛନ୍ତି । ଗତକିଛି ଦିନ ପୂର୍ବେ ଏନଏସଏସଓ ରିପୋର୍ଟ ବେକାରୀ ସଂଖ୍ୟା ବୃଦ୍ଧି ନେଇ ଦେଇଥିବା ରିପୋର୍ଟ ମୋଦି ସରକାରଙ୍କ ପ୍ରକୃତ ଚେହେରାକୁ ଲୋକଲୋଚନକୁ ଆଣିଥିଲା । କିନ୍ତୁ ଏହି ସତକୁ ଘୋଡ଼ାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗଣମାଧ୍ୟମରେ ସଫେଇ ଦେଇ ଚେଷ୍ଟା କରୁଥିଲେ ବୋଲି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ।

ସେପଟେ ବିଜେଡି ସରକାରଙ୍କ ବାସ୍ତବିକ ବିକାଶର ଚିତ୍ର ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ଶ୍ରେଷ୍ଠ ମାନୁଫାକଚରିଂ ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା । ଏହାସହ ରାଜ୍ୟରେ ଶ୍ରମଶକ୍ତି ଯୋଗଦାନ ଜାତୀୟ ହାରଠାରୁ ଅଧିକ । ନିବେଶ କାର୍ଯ୍ୟକାରୀ ହାରରେ ଓଡ଼ିଶା ଏକ ନମ୍ବର ରହିଛି । ଏବଂ ଓଡ଼ିଶାର ଯୁବପୀଢ଼ିଙ୍କୁ ମେକ୍ ଇନ୍ ଓଡ଼ିଶା ଦେଖାଇଛି ନୂଆ ରାହା । ଯେଉଁଥି ପାଇଁ ଇନଭେଷ୍ଟ ଇଣ୍ଡିଆ-ବିଶ୍ୱ ବ୍ୟାଙ୍କ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ସର୍ଭେ ଓଙ୍ଗ଼ିଶାକୁ ‘ଆସ୍ପାୟରିଂ ଲିଡ଼ର’ ମାନ୍ୟତା ଦେଇଛନ୍ତି । ଏସବୁ ବାଦ୍ କେନ୍ଦ୍ର ସରକାରଙ୍କ ନକାରାତ୍ମକ କାର୍ଯ୍ୟ ସତ୍ତେ ଦେଶରେ ନିଜକୁ ଶକ୍ତିଶାଳୀ ରାଜ୍ୟ ଭାବେ ଗଢ଼ିତୋଳିଛି ଓଡ଼ିଶା ।