ବିଜେପିର ପ୍ରାର୍ଥୀତାଲିକା ଘୋଷଣାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । କହିଲା- ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ କରିଛି କି ଅପେକ୍ଷା

265

କନକ ବ୍ୟୁରୋ: ବିଜେପିର ପ୍ରାର୍ଥୀତାଲିକା ଘୋଷଣା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ୧୨୦ କଥା କହୁଥିବା ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି, ତାଙ୍କ ଅଙ୍କ ଛିଡୁନି । ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ସେଥିପାଇଁ ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି କହିଛି ବିଜେଡି ।

ପର ଘର ତିଅଣରେ ଆତିଥି ସକ୍ରାର କରିବା ବିଜେପି ବୋଧେ ଶିଖି ଗଲାଣି । ସେଥିପାଇଁ ତ ବିଜେପି ଅନ୍ୟ ଦଳରୁ ବାହାରି ଯାଉଥିବା ପ୍ରାର୍ଥୀକୁ ନିଜ ଦଳକୁ ଆଣିବା ଉଦ୍ଦେଶ୍ୟରେ ନିଜର ପ୍ରାର୍ଥୀ ତାଲିକା ଚୂଡାନ୍ତ କରିପାରୁନାହିଁ ବୋଲି ଭାରତୀୟ ଜନତା ପାର୍ଟିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିଭଳି କଂଗ୍ରେସ ଏକ ରାଷ୍ଟ୍ରୀୟ ଦଳ ହୋଇ ବି ନିଜର ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ଘୋଷଣା କରିସାରିଲାଣି ହେଲେ ରହସ୍ୟର ବିଷୟ ହେଲା, ବିଜେପି ଯିଏ କି ୧୨୦ +ର କଥା କହୁଥିଲା ଏବଂ ଓଡିଶାକୁ ଅକ୍ତିଆର କରୁଥିବା ସବୁବେଳେ କହୁଥିବା ଭାରତୀୟ ଜନତା ପାର୍ଟିର ତାଲିକା କାହିଁକି ଏଯାବତ୍ ଚୂଡାନ୍ତ କରିପାରୁନି । ଏହା ପଛର ରହସ୍ୟ କଣ ଥାଇପାରେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି କି, ସତ କଥା କହିବାକୁ ଗଲେ ବିଜେପି ପାଖରେ ୧୨୦+ ମିଶନ ପାଇଁ ୧୨୦ଟି ପ୍ରାର୍ଥୀ ନାହାଁନ୍ତି ଏବଂ ସେଥିପାଇଁ ଅନ୍ୟ ଦଳରୁ ଯାଉଥିବା ପ୍ରାର୍ଥୀଙ୍କ ଅପେକ୍ଷାରେ ବିଜେପି ରହିଛି ବୋଲି ଭାରତୀୟ ଜନତା ପାର୍ଟିକୁ ଆକ୍ରମଣ କରିଛନ୍ତି ବିଜେଡି ମୁଖ୍ୟପାତ୍ର ସସ୍ମିତ ପାତ୍ର ।

ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ଯେତେ ବିଳମ୍ବ ହେଉଛି, ସେତେ ପ୍ରଶ୍ନ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଆନ୍ଦୋଳିତ କରୁଛି। ପ୍ରଥମ ଓ ଦ୍ବିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି। ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଲେଣି। କିନ୍ତୁ ବିଜେପିର ତାଲିକା ଏ ଯାଏ ପ୍ରସ୍ତୁତ ହୋଇପାରୁନି। ଏପରିକି ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ବି ତାଲିକା ଘୋଷଣା ହେଉ ନାହିଁ। ବିଜେପି ଶୀର୍ଷ ନେତୃତ୍ବ କେଉଁ ଉଦ୍ଦେଶ୍ୟରେ ଏମିତି ବିଳମ୍ବିତ ପ୍ରକ୍ରିୟାକୁ ଆପଣାଇଛନ୍ତି, ତାହା ଏବେ ଆଲୋଚନାର ବିଷୟ ହୋଇଛି।