ରାହୁଲଙ୍କ ଗସ୍ତ ପରେ ବିଜେଡିର ପାଲଟା ଜବାବ ! କହିଲେ, ହୋମୱାର୍କ କରି ଓଡିଶା ଆସନ୍ତୁ କଂଗ୍ରେସ ଅଧ୍ୟକ୍ଷ

105

କନକ ବ୍ୟୁରୋ : ବରଗଡ ପରିବର୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଗର୍ଜନ । ଚାଷୀ, ବେରୋଜଗାର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଖାଲିଥିବା ସରକାରୀ ପଦ ପଦବୀ ପୂରଣ ହେବ ବୋଲି ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ରାହୁଲ । ଆଉ ରାହୁଲଙ୍କ ଗସ୍ତକୁ ନେଇ ବିଜେଡି କଡା ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାହୁଲ ଗାନ୍ଧି ପୁଣିଥରେ ବିନା ହୋମୱାର୍କରେ ଓଡିଶା ଆସିଛନ୍ତି ।

ସାଢେ ୩ ବର୍ଷ ହେବ ଓଡିଶାକୁ ଭୁଲି ଯାଇଥିବା ରାହୁଲ ନିର୍ବାଚନ ବେଳକୁ ପର୍ଯ୍ୟଟନ ଭ୍ରମଣରେ ରାଜ୍ୟକୁ ଆସିବାକୁ ମନା ନାହିଁ । କିନ୍ତୁ ମହିଳା ସଶକ୍ତୀକରଣର ଭାଷଣ ଦେଇଥିବା ରାହୁଲ ଲୋକସଭା ଆସନରେ ୩୩% ମହିଳାଙ୍କୁ ଟିକେଟ ଦେବେ କି ନାହିଁ ତାହା ଆଗ ସ୍ପଷ୍ଟ କରନ୍ତୁ । ନବୀନ ପଟ୍ଟନାୟକ ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ କଂଗ୍ରେସ କେବେ ଘୋଷଣା କରିବ ବୋଲି ପ୍ରଶ୍ନ ପଚାରିଛନ୍ତି ସସ୍ମିତ ।

ବିଜେଡି କଟାକ୍ଷ କରିବା ସହ କହିଛି, ଓଡିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସିଥିବା ରାହୁଲ ରାଜ୍ୟରେ ବିକାଶ ସର୍ମ୍ପକରେ ପ୍ରତିଶୃତିର ଭାଷଣ ଦେବା ପୂର୍ବରୁ ହୋମୱାର୍କ କରି ଆସିବା କଥା । ରାହୁଲ ଗାନ୍ଧୀ ବୋଧହୁଏ ଜାଣିନାହାନ୍ତି ଯେ, କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି ।୨୦ ଲକ୍ଷ ପକ୍କାଘର ନିର୍ମାଣ କରାଯାଇଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଓଡିଶାରେ ୨୫ ପ୍ରତିଶତ ଦାରିଦ୍ର୍ୟ ଦୂରୀକରଣ ହୋଇଛି ଯାହା କି ସର୍ବଭାରତୀୟ ସ୍ତରରେ ଶୀର୍ଷ ମାନ୍ୟତାରେ ରହିଛି । ତେଣୁ ଏହି ତଥ୍ୟ ସହ ରାହୁଲ ଓଡିଶା ଗସ୍ତରେ ଆସିବା ଦରକାର ବୋଲି କହିଛନ୍ତି ସସ୍ମିତ ।