କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କେନ୍ଦ୍ର । ଶାସକ ବିଜେଡି କହିଲା, ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ ।

204

କନକ ବ୍ୟୁରୋ : ଷଷ୍ଠ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ତିନି ଦଳର ସଦସ୍ୟ ହୋହଲ୍ଲା କରିଥିଲେ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସି ଘଣ୍ଟା ବାଡେଇ ପ୍ରତିବାଦ କରିଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ମଧ୍ୟ ଗୃହରେ ଗଙ୍ଗା ଜଳ ପକାଇଥିଲେ । ବିରୋଧୀଙ୍କୁ ସଦବୁଦ୍ଧି ମିଳୁ କହି ଗଙ୍ଗା ଜଳ ଛିଂଚିଥିବା କହିଛି ବିଜେଡି । ଗୃହରେ ହୋହଲ୍ଲା ଯୋଗୁ ବାଚସ୍ପତି ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିରୋଧୀ ଓ ଶାସକ ଦଳର ପ୍ରତିବାଦ ଯୋଗୁ ୬ ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି । ଗତକାଲି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କୌଣସି ସୁଫଳ ମିଳିପାରିନାହିଁ ।

ଅନ୍ୟପଟେ ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦଳ ଅଭିଯୋଗ କରିଛି । ହାତରେ ବଡ ବଡ ବ୍ୟାନର ଧରି ଧାରଣାରେ ବସିଛନ୍ତି ଶାସକଦଳର ବିଧାୟକ । ଗ୍ୟାସ, ତେଲ ଦର ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଓ କେନ୍ଦ୍ରୀୟ ଅନୁଦାନ କାଟ୍ ପ୍ରସଙ୍ଗରେ ଆନ୍ଦୋଳନ କରୁଛି ବିଜେଡି । ଏହାସହ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାରେ ଅନେକ ସମସ୍ୟା ରହିଛି । ବିଧାନସଭାରେ ଆଲୋଚନା ପାଇଁ ବିଭିନ୍ନ ପ୍ରସଙ୍ଗ ମଧ୍ୟ ରହିଛି । କିନ୍ତୁ ବିରୋଧୀ ଲୋକଙ୍କ ସମସ୍ୟା ଅଲୋଚନା କରିବା ବଦଳରେ ଡ୍ରାମାବାଜି କରୁଛନ୍ତି । ଶାସକ ଦଳ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ବିରୋଧୀ ଗୃହ ଚଲାଇ ଦେଉନାହାନ୍ତି ।

ସେହିପରି ବିଜେପି ବିଧାୟକମାନେ ଗୃହ ମୁଲତବୀ ହେଲା ପରେ ବିଧାନସଭା ପରିସରରେ ପ୍ରତିବାଦ କରିଛନ୍ତି । ଜଗନ୍ନାଥଙ୍କ ଫଟୋ ରଖି ଘଣ୍ଟ ବଜାଇ ଭୋଗ ବାଣ୍ଟି ପ୍ରତିବାଦ ଜଣାଇଛନ୍ତି । ଜଗନ୍ନାଥ ଶାସକ ଦଳକୁ ସଦବୁଦ୍ଧି ଦେବେ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । ଗୃହ ଭିତରୁ ବିଜେପି ବିଧାୟକମାନେ ଘଂଟ ବଜାଇ ବାହାରକୁ ଆସିଥିଲେ । ଏହ ପରେ ଏକାଠି ହୋଇ ଜଜଗନ୍ନାଥଙ୍କ ଫଟୋ ରଖି ପ୍ରତିବାଦ କରିଛନ୍ତି ।

କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିଛି । ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ହେବା ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ଚାରିପାଖ ପରିକ୍ରମା କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନ୍ର ଧରି ବିଧାନସଭା ଚାରିପାଖ ପରିକ୍ରମା କରିଥିଲେ କଂଗ୍ରେସ ବିଧାୟକ । ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ବିଧାୟକ ଦାବି କରିଛନ୍ତି ।