ମୋହନ ସରକାରକୁ ବିଜେଡିର ବିଦ୍ୟୁତ୍ ବାଣ । ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ । 

713

କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିବାକୁ ପ୍ରାଥମିକତା ଦିଆଯିବ ବୋଲି ମୋହନ ସରକାର ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ଆଜି ବିଜେଡି ପ୍ରତିକ୍ରିୟା ରଖିଛି । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ଆଜି ହେଉଛି ଜୁଲାଇ ୧ ତାରିଖ । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ଜୁଲାଇରୁ ବିଜୁଳି ବିଲ୍ ଦେବାକୁ ପଡିବନି । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ । ତେବେ ନିର୍ବାଚନ ପ୍ରଚାର ସମୟରେ ବିଜେପି ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ତେଣୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରତାରଣାରେ ପରିଣତ ନହେଉ । ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ।

ପ୍ରତାପ ଦେବ କହିଛନ୍ତି, ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ନିର୍ବାଚନ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି । ସେହି ଆଧାରରେ ଗତ ୫ ତାରିଖରୁ ଏବେ ପର୍ଯ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି । କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେ ପକାଇ ଦେଉଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନଯାଉ ବୋଲି କହିଛନ୍ତି ପ୍ରତାପ ଦେବ ।

ଏହାସହ ପ୍ରତାପ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ଏହା ଲୋକାଭିମୁଖୀ ଯୋଜନା । ନୂଆ ସରକାର ଏବାବଦରେ ଟିପ୍ପଣୀ ଦେଇନାହାନ୍ତି। ତା ଅର୍ଥ ଯୋଜନା ଚାଲୁ ରହିବ। କିନ୍ତୁ ଭବିଷ୍ୟତରେ କଣ ହେବ ତାହା ସରକାରଙ୍କ ନିଷ୍ପତି।