କନକ ବ୍ୟୁରୋ : ରେଳ ପାଇଁ ଜମି ଯୋଗାଇବା ପ୍ରସଙ୍ଗ ଓ କେନ୍ଦ୍ରୀୟ ଅବହେଳା ନେଇ ଅଶ୍ୱିନୀ ବୈଷ୍ଣବ ଦେଇଥିବା ବୟାନକୁ ନେଇ ଜବାବ ରଖିଛି ବିଜେଡି । ରାଜ୍ୟସଭା ସାଂସଦ ମୁନା ଖାନ କହିଛନ୍ତି, ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି କେବେଠାରୁ ଯୋଗାଇ ଦେଇଛନ୍ତି । ରେଳମନ୍ତ୍ରୀ ବୋଧେ ଠିକ୍ ଢଙ୍ଗରେ ଅନୁଧ୍ୟାନ କରିନାହାନ୍ତି । କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାରେ ରାଜ୍ୟ ସରକାର କେବେ ଠାରୁ ଜମି ଯୋଗାଇ ଦେଇଛନ୍ତି । ରେଳକାର୍ଯ୍ୟ କିନ୍ତୁ ବହୁତ ଧୀରେ ଚାଲିଛି । ଓଡ଼ିଶାରୁ ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହୋଇଛନ୍ତି । ତେଣୁ ଆଶା ରହୁଛି, କେମିତି ଶୀଘ୍ର ରେଳପ୍ରକଳ୍ପର କାର୍ଯ୍ୟ ଶୀଘ୍ର ହେବ । ତେଣୁ ରେଳମନ୍ତ୍ରୀ ଅଭିଯୋଗ ନକରି, ମିଛ କଥା ନକହି ରେଳପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର କଲେ ଓଡ଼ିଶାବାସୀ ଖୁସି ହୁଅନ୍ତେ ।
ସଂଘୀୟ ବ୍ୟବସ୍ଥାରେ ପ୍ରତ୍ୟେକ ରାଜ୍ୟର ଯାହା ହକ୍ ଅଛି ତାହା ଓଡ଼ିଶା ମାଗୁଛି । ଆମକୁ ଏହା କେହି ଜବରଦସ୍ତି ଦେଉନାହାନ୍ତି କି ଆମେ ଭିକ ମାଗୁନୁ । ଆମ ହକକୁ ଠିକ୍ ସମୟରେ ଦେଉନାହାନ୍ତି । ଠିକ୍ ସମୟରେ ଟଙ୍କା ଦେଉନାହାନ୍ତି, ଖାଲି ପୁରୁଣା ହିସାବ ଦେଉଛନ୍ତି । ଓଡ଼ିଶାରୁ ରେଳ ବିଭାଗ ଅଢେଇ ଲକ୍ଷ କୋଟି ଟଙ୍କା ଆଦାୟ କରୁଛି କିନ୍ତୁ ଦେଉଛି କେବଳ ୧୮ରୁ ୨୦ ହଜାର କୋଟି । ଏହା କଣ ଓଡ଼ିଶା ପାଇଁ ବେଶି ଅନୁଦାନ ହୋଇଗଲା କି? କେନ୍ଦ୍ର ଅବହେଳା କରୁଛି । ସେଥିପାଇଁ ଓଡ଼ିଶାର ହକ୍ ପାଇଁ ବିଜେଡି ଦାବି ଉଠାଉଛି । କୋଇଲା ରୟାଲଟି ବାବଦରେ କେବେ ଠାରୁ ବିଜେଡି ଦାବି ଉଠାଇଲାଣି, ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । କିନ୍ତୁ ସେମାନେ ହଁ କହି ଚୁପ୍ ବସୁଛନ୍ତି ।
Follow Us