ବଦଳୁଛି ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର । ୯ଟି ପ୍ରସ୍ତାବକୁ ସୁପ୍ରିମୋଙ୍କ ଅନୁମୋଦନ । ଦଳ କହିଲା, କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ

111

କନକ ବ୍ୟୁରୋ : ଦୁଇଦିନ ତଳେ ବିଜୁ ଯୁବ ଜନତା କଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି କଡା କରିଛି ଦଳ । କେନ୍ଦ୍ରର ଅବହେଳା ଓ ନକାରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଥିବା କହିଛନ୍ତି ଦଳର ବରିଷ୍ଠ ନେତା । କୃଷି ଓ କୃଷକ ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଓ ମହିଳା ସଶକ୍ତିକରଣ ପ୍ରସଙ୍ଗରେ କେନ୍ଦ୍ରକୁ ଜୋରଦାର ଟାର୍ଗେଟ କରାଯାଇଛି ।

ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଆଣିଥିବା ସମସ୍ତ ୯ଟି ପ୍ରସ୍ତାବକୁ ଅନୁମୋଦନ କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନ ତଳେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ନବୀନ ପଟ୍ଟନାୟକ । ଆଜି ପୁଣି ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦଳୀୟ ନେତା । କେନ୍ଦ୍ରର ଅବହେଳା ଓ ନକାରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଥିବା ମତ ରଖିଛନ୍ତି ।
କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବ ସମେତ ୯ଟି ପ୍ରସ୍ତାବ ଅଣାଯାଇଥିବାବେଳେ ଏହାକୁ ଅନୁମୋଦନ କରିଛନ୍ତି ଦଳର ସୁପ୍ରିମୋ ।

-କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନକୁ ନେଇ ସାରାଦେଶ ଉଠୁଛି ପଡୁଛି । ଏପରି ସମୟରେ ସ୍ୱାମୀନାଥନ କମିଟି ସୁପାରିଶ ଅନୁସାରେ ଏମଏସପି ପାଇଁ ଲଢେଇ ଜାରି ରଖିବାକୁ ଦଳ ପ୍ରସ୍ତାବ ପାରିତ କରିଛି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା
-କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରୁଥିବାରୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ସେଥିପାଇଁ ଦଳ ତାର ଦାବି ଉପସ୍ଥାପନ କରିବ ବୋଲି କହିଛି ।
ମହିଳା ସଶକ୍ତିକରଣ
-ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଦାବି କରାଯିବ ବୋଲି ଦଳ ପୁଣିଥରେ କାର୍ଯ୍ୟକାରିଣୀରେ ଦୋହରାଇଛି ।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସହଯୋଗିତାରେ ଚାଲିବା କଥା । କିନ୍ତୁ ବର୍ତମାନ କିଛି ଶକ୍ତି ରାଜ୍ୟର ଅଧିକାରକୁ ସଂକୁଚିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଦଳର ବରିଷ୍ଠ ନେତା । ତେଣୁ ସେମାନଙ୍କ ସାମ୍ନା କରିବାକୁ ବିଜେଡି ତାର ସଂଗଠନକୁ ଆହିରୁ ମଜବୁତ କରିବ ।

୨୦୨୧ରେ ପୌର ନିର୍ବାଚନ ସମ୍ଭାବନା ଥିବାବେଳେ ୨୦୨୨ରେ ହେବ ପଂଚାୟତ ନିର୍ବାଚନ । ତେଣୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଶାଣିତ କରି ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଦଳୀୟ ସମ୍ବିଧାନକୁ ସଂଶୋଧନ କରି ପଦାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏପରିକି ଷଷ୍ଠ ପାଳି ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।