କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ କଂଗ୍ରେସ ଓ ବିଜେପି ଉପରେ ବର୍ଷିଲା ବିଜେଡି । ଉଭୟ ଦଳ ବିରୋଧରେ ଅଭିଯୋଗ ଆଣି ବିଜେଡି କହିଛି, ଉଭୟ ଦଳ ପାଇଁ ପାର୍ଟି ଆଗ ମାଟି ପଛ । ଉଭୟ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ଓଡ଼ିଶାବାସୀଙ୍କ ଭାବନା ସହ ଜଡିତ ମହାନଦୀ । ମହାନଦୀ ଜଳ ବିବାଦ ଓଡ଼ିଶାର ପ୍ରଗତି ଓଡ଼ିଶାର ଉନ୍ନତି ସହ ଜଡିତ । ଅଢେଇ କୋଟି ଜୀବନ ଜୀବିକା ମହାନଦୀ ସହ ଜଡିତ । ୨୦୧୭ ମସିହାରେ ମହାମଦୀ ଉପର ମୁଣ୍ଡରେ ଛତିଶଗଡର ବେଆଇନ ବ୍ୟାରେଜ ନିର୍ମାଣକୁ ନେଇ ମର୍ମାହତ ହୋଇଥିଲୁ । ଏହି କାମ ବନ୍ଦ କରିବାକୁ ବିଜେଡି ସରକାର ଛତିଶଗଡ ସରକାରକୁ ଅନୁରୋଧ କରିଥିଲେ । ସେତେବେଳେ ଛତିଶଗଡରେ ବିଜେପି ସରକାର ଥିଲେ ମଧ୍ୟ ଓଡ଼ିଶାର ଅନୁରୋଧକୁ କର୍ଣ୍ଣପାତ କଲା ନାହିଁ ।

Advertisment

ପରେ କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟସ୍ଥତା କରି ବିବାଦର ସମାଧାନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ସପକ୍ଷରେ ଛିଡା ହେଲେ ନାହିଁ ବରଂ ଛତିଶଗଡ ସରକାର ଯାହା କରିଛନ୍ତି ଠିକ ବୋଲି ନିରବ ରହି ପ୍ରମାଣ କଲେ । ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରୁଥିଲେ । ବିଜେଡି ରାଜ ରାସ୍ତାକୁ ଓହ୍ଲାଇଥିଲା, କିନ୍ତୁ ବିଜେପି ନେତା ପଦୁଟିଏ ମୁଁହ ଖୋଲିଲେ ନାହିଁ । ସେତେବେଳେ କଂଗ୍ରେସର କିଛି ନେତା କହୁଥିଲେ ଏହି ବ୍ୟାରେଜ ନିର୍ମାଣ ବେଆଇନ । କିନ୍ତୁ ଛତିଶଗଡରେ କଂଗ୍ରେସ ସରକାର ଆସିଲା ପରେ କଂଗ୍ରେସ ମୁଁହ ବନ୍ଦ କଲା । ବିଜେପି ପାଇଁ ଯେମିତି ପାର୍ଟି ଆଗ ମାଟି ପଛ ସେମିତି କଂଗ୍ରେସ ପାଇଁ ମାଟି ପଛ ପାର୍ଟି ଆଗ । ବିଜେଡି ହିଁ ମହାନଦୀ ସମସ୍ୟା ପାଇଁ ଲଢେଇ କରୁଛି କିନ୍ତୁ ବିଜେପି ଓ କଂଗ୍ରେସ ନିରବଦ୍ରଷ୍ଟା ସାଜିଛନ୍ତି । ସେମାନଙ୍କ ପାଇଁ ନିଜ ରାଜନୈତିକ ସ୍ୱାର୍ଥ ହିଁ ପ୍ରଥମ ।

ଛତିଶଗଡରେ ବିଜେପି ସରକାର ଥିବା ବେଳେ କଂଗ୍ରେସ ରାଜରାସ୍ତାକୁ ଆସୁଥିଲା ଆନ୍ଦୋଳନ କରୁଥିଲା କିନ୍ତୁ ଛତିଶଗଡରେ କଂଗ୍ରେସ ସରକାର ଆସିଲା ସେମାନେ କାହିଁକି ମୁଁହ ଖୋଲୁନାହାନ୍ତି । ବିଜେପିର ଆଭିମୁଖ୍ୟରେ କୌଣସି ଫରକ ନାହିଁ ସେତବେଳେ ସ୍ୱର ଉଠୁନଥିଲା କି ଏବେ ବି ଉଠୁନି । ବିଜେପି ଆଉ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ବିଜେପି ଏବଂ କଂଗ୍ରେସ ନିରବଦ୍ରଷ୍ଟା ନ ସାଜି ସମାଧାନ ପାଇଁ ଉଦ୍ୟମ କରନ୍ତୁ । ଛତିଶଗଡ ନିର୍ମାଣ କରିଥିବା ବ୍ୟାରେଜ ବନ୍ଦ କରଯାଉ । ଏହାର ଆମେ ଦୃଢ଼ ନିନ୍ଦା କରୁଛୁ । ବିଜେପିର କେନ୍ଦ୍ର ସରକାର ଏବଂ କଂଗ୍ରେସ ନିଜ ସରକାର ଜରିଆରେ ଏହି ମହାନଦୀ ବିବାଦ ସମସ୍ୟାର ସମାଧାନ କରନ୍ତୁ ।