ବିଜେପିର ହିଂସାକୁ ନେଇ ବର୍ଷିଲା ବିଜେଡି । ସସ୍ମିତ କହିଲେ, ୟୁପି ଓ ବିହାର ଭଳି ଓଡ଼ିଶାରେ ହିଂସା ଆଚରଣ କରୁଛି ବିଜେପି, ୪ ନେତାଙ୍କୁ ପ୍ରଚାରରୁ ଦିଆଯାଉ ବାଦ୍ ।

131

କନକ ବ୍ୟୁରୋ : ପଦ୍ମପୁରରେ ଜିଏସଟି ରେଡ୍ ବେଳେ ହିଂସାକୁ ନେଇ ବିଜେପିକୁ ଦାୟୀ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ଉତ୍ତରପ୍ରଦେଶ ଓ ବିହାର ଭଳି ଓଡ଼ିଶାରେ ହିଂସା ଆଚରଣ କରୁଛି ବିଜେପି । ଜିଏସଟି ରେଡ୍ ବେଳେ ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି । ମହିଳା ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ବିଜେପି କର୍ମୀ । ତେଣୁ ତୁରନ୍ତ ରାଜ୍ୟ ନିର୍ବାଚନ କମିଶନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ବିଜେପିର ୪ ନେତାଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖନ୍ତୁ । ପିଙ୍କି ପ୍ରଧାନ, ଠାକୁର ରଞ୍ଜିତ ଦାସ, କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ପ୍ରଚାର ମୈଦାନକୁ ଦୂରେଇ ରଖିବାକୁ ଦାବି କରିଛି ବିଜେଡି । ନିର୍ବାଚନୀ ହିଂସାକୁ ଚରମ ସୀମାକୁ ବିଜେପି ନେଲାଣି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ବିଜେପିର ଏଭଳି କାର୍ଯ୍ୟକଳାପ ଅତ୍ୟନ୍ତ ଦୁଭାଗ୍ୟଜନକ ଓ ବିଜେଡି ଏହାକୁ ନିନ୍ଦା କରୁଥିବା କହିଛନ୍ତି ସସ୍ମିତ ।

ସସ୍ମିତ କହିଛନ୍ତି, ସୋମବାର ଆଇଟି ବିଭାଗର ରେଡ୍ ବେଳେ ବିଜେଡିର କୌଣସି କର୍ମୀ ଉପସ୍ଥିତ ଥିଲେ କି? କିନ୍ତୁ ଜିଏସଟି ଚଢାଉ ବେଳେ ବିଜେପିର ମାଳମାଳ ନେତା ପହଞ୍ଚି ସେଠାରେ ଜିଏସଟି ଅଧିକାରୀଙ୍କୁ ଗାଲିଗୁଲଜ କରିବା ସହ ବ୍ୟବହାର ଖରାପ କରିଥିଲେ । ଏପରିକି ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବିଜେପି ନେତା । ସେହିଭଳି ଝାରବନ୍ଧ ବ୍ଲକର ସାଲଡିହିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବାର ଖବର ଆସିଥିଲା । ଉକ୍ତ ବିଜେପି କର୍ମୀଙ୍କୁ ଗ୍ରାମବାସୀ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ପଳାୟନ କରିଥିଲେ । ଆଉ ଏହାକୁ ଲୁଚାଇବାକୁ ଯାଇ ଅପହରଣର ମିଛ ଅଭିଯୋଗ ଆଣିଥିଲେ ବିଜେପି । କିନ୍ତୁ ସେମିତି କୌଣସି ଅପହରଣ ହୋଇନଥିବା କଥା ଉକ୍ତ ବିଜେପି କର୍ମୀ ପୋଲିସ ଥାନାରେ କହିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସସ୍ମିତ । ବିଜେପି ଶସ୍ତା ରାଜନୀତି ପାଇଁ ମିଛ ଏଫଆଇଆର ଦେବାକୁ ମଧ୍ୟ ପଛାଉନଥିବା କହିଛନ୍ତି ସସ୍ମିତ ।