ଅପରାଧୀଙ୍କୁ ନେଇ ଲଢୁଛି ବିଜେପି, ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ପ୍ରଦୀପ ଓ ପ୍ରଶାନ୍ତ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି ।

481

କନକ ବ୍ୟୁରୋ : ଅପରାଧୀଙ୍କୁ ନେଇ ନିର୍ବାଚନ ଲଢୁଛି ବିଜେପି । ଯେଉଁମାନଙ୍କ ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଧମକା ଯାଉଛି । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡିରୁ ବିତାଡିତ ତଥା ଅପରାଧିକ କାର୍ଯ୍ୟ ସହ ଜଡିତ ନେତାଙ୍କ ଉଦାହରଣ ଦେଇ ବିଜେପି ଉପରେ ବର୍ଷିଛି ବିଜେଡି ।

ଅପରାଧିକ କାର୍ଯ୍ୟ ସହ ଜଡିତ ଥିବା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ବିଜେପିର ପୋଷ୍ଟର ବୟ ସାଜିଛନ୍ତି । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଢି ଚଢାଇଲେ । ଏଥିପାଇଁ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିର ଯେଉଁ ନେତା ତାଙ୍କୁ ଗାଳି ଦେଉଥିଲେ ସେମାନେ ତାଙ୍କୁ ଉତ୍ତରୀୟ ପକାଇ ଦଳରେ ସାମିଲ କଲେ । ଏବେ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି, ସାମ୍ବାଦିକଙ୍କୁ ମାଡ ମାରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିଜ ଦଳର କର୍ମୀଙ୍କୁ ଓଡ଼ିଶା ବିଜେପିର ନେତା କେମିତି ମୁହଁ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି ।
କେବଳ ପ୍ରଶାନ୍ତ ଜଗଦ୍ଦେବ ନୁହନ୍ତି ବରଂ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ପୋଷ୍ଟର ବୟ କରିଛି ବିଜେପି । ଯିଏ ନିଜ ନିର୍ବାଚନମଣ୍ଡଳୀରେ ଗରିବ ଲୋକଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ପରେ ଜେଲ ଯାଇଥିଲେ । ଏବେ ବିଜେପିରେ ସାମିଲ ହେବା ପରେ ପ୍ରଦୀପ ସରକାରୀ ଅଫିସରଙ୍କୁ ଡରାଇବା ସହ ଆଶା, ମିଶନ ଶକ୍ତିର ମହିଳାଙ୍କୁ ଅପମାନିତ କରିବା ସହ ଭୟଭୀତ କରୁଛନ୍ତି । ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ୨ ନେତାଙ୍କୁ ଓଡ଼ିଶା ବିଜେପି ଲାଇସେନ୍ସ ଦେଇଛି କି, ଯାହା ଇଚ୍ଛା ତାହା କରିବେ ବୋଲି । ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଶେଷ ହେଉ ବୋଲି ସମସ୍ତେ ଚାହାନ୍ତି । କିନ୍ତୁ ପ୍ରଦୀପ ଓ ପ୍ରଶାନ୍ତଙ୍କ ଭଳି ବିଜେପି ନେତା ସରକାରୀ ଅଫିସର ଓ କର୍ମଚାରୀଙ୍କୁ ଧମକ ଦେଉଛନ୍ତି, ମହିଳାଙ୍କ ପ୍ରତି ଅପମାନସୂଚକ ଟିପ୍ପଣୀ ଦେଉଛନ୍ତି । ଏହାର ପ୍ରମାଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ବିଜେଡି । ପ୍ରସଙ୍ଗ ଭିତ୍ତିକ ରାଜନୀତି କରିବା ବଦଳରେ ଭୟ ସୃଷ୍ଟି କରିବାରେ ଲାଗିଛି ବିଜେପି । ଅପରାଧୀ ମାନେ ବିଜେପିର ଆଶାବାଡି ସାଜିଥିବା କହି ଟାର୍ଗେଟ କରିଛି ବିଜେଡି ।