‘ମୋ ସରକାର’ ପାଇଁ ବିଜେପି ଉପରେ ବର୍ଷିଲା ବିଜେଡି । କହିଲା, ସରକାରଙ୍କ ଏଭଳି ଜନହିତକାରୀ କାର୍ଯ୍ୟକ୍ରମକୁ ସହିପାରୁନାହିଁ ବିଜେପି, ଲୋକଙ୍କୁ କରୁଛି ବିଭ୍ରାନ୍ତ ।

601

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ବିରୋଧୀ ବିଜେପି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଜେଡି ପକ୍ଷରୁ କଡା ଜବାବ ଦିଆଯାଇଛି । ମୋ ସରକାର ପ୍ରତି ବିଜେପିର ଏତେ ଅସୂୟା ଭାବ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ଏପରିକି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ସରକାର କାର୍ଯ୍ୟକ୍ରମରେ ବିଜେପି ବିଚଳିତ ହୋଇ ଉଠିଛି ବୋଲି ବିଜେଡି କହିଛି । ବିଜେପି  ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତାକୁ ସହି ନପାରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି । ଏପରିକି ମୋ ସରକାର କାର୍ଯ୍ୟକ୍ରମ ବାବଦରେ ବିଜେପି କିଛି ନ ଜାଣି ଏଥିରେ ରାଜନୀତିର ରଙ୍ଗ ବୋଳୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।

୧. ମେଡ଼ିକାଲ ଷ୍ଟାଫଙ୍କର ବ୍ୟବହାର ।

୨. କୌଣସି ପ୍ରକାର ଲାଞ୍ଚ ଦାବି ଅଥବା ଘରୋଇ କ୍ଲିନିକକୁ ନ ପଠାଇ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ ।

୩. ମାଗଣାରେ ଔଷଧ ପ୍ରଦାନର ବ୍ୟବସ୍ଥା ।

୪. ଦେୟମୁକ୍ତ ନିଦାନ ।

୫. ସରକାରୀ ଚିକିତ୍ସାଳୟରେ ସୁଷମ ଖାଦ୍ୟ ଯୋଗାଣ ।

୬. ସର୍ବୋପରି ସ୍ୱଚ୍ଛତା ବଜାୟ ରଖିବା ।

ଏହି ବିଷୟ ଗୁଡିକ ଉପରେ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବାର ପ୍ରକ୍ରିୟା ହେଉଛି ‘ମୋ ସରକାର’ । ଟେଲିଫୋନରେ ହେଉ ବା ପରିଦର୍ଶନ ସମୟରେ ରୋଗୀଙ୍କ ଠାରୁ ମତାମତ ସଂଗ୍ରହ କରିବାର ପ୍ରକ୍ରିୟା ହେଉଛି ମୋ ସରକାର ।  ଏଥିନିମନ୍ତେ ଭିତ୍ତିଭୂମି କିମ୍ବା କର୍ମଚାରୀଙ୍କ ସହ କିଛି ସମ୍ପର୍କ ନଥାଇ ଏପରି ପରିଦର୍ଶନ କରାଯାଇପାରିବ ।ତେଣୁ ବିରୋଧୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

‘ମୋ ସରକାର’ କାର୍ଯ୍ୟକ୍ରମର ନାମକରଣ ଦ୍ୱାରା ଏହା ସୂଚୀତ ହେଉଛି ଯେ, ଏହା ମୋ ସରକାର ଏବଂ ମୁଁ ସମ୍ମାନ ଓ ସହାନୁଭୂତିର ସହ ଚିକିତ୍ସିତ ହେବା ଦରକାର । ମୋ ସରକାର ହେଉଛି ଗୋଟିଏ ମତାମତ ସଂଗ୍ରହକାରୀ ବ୍ୟବସ୍ଥା । ଏହା ସରକାରଙ୍କୁ ସଠିକ୍ ପଦକ୍ଷେପ ନେବାରେ ସହାୟକ ହୁଏ । ତେଣୁ ସରକାରୀ କାମରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବାକୁ ବିଜେପିକୁ ପରାମର୍ଶ ଦେଇଛି ବିଜେଡି । ସରକାରଙ୍କ ଏଭଳି ଜନହିତକାରୀ କାମକୁ ବିରୋଧ କରିବା ବଦଳରେ ସହଯୋଗ କରିବା ଆବଶ୍ୟକ ବୋଲି କହିଛି ବିଜେଡି ।