ବିଜେପିକୁ ସବୁ ସତ ଜଣା,  ଶସ୍ତା ରାଜନୀତି ବନ୍ଦ କରୁ । ବିଜେପି ମହିଳା ମୋର୍ଚ୍ଚା ଉପରେ ବର୍ଷିଲା ବିଜେଡି । 

224

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ମମିତା ହତ୍ୟାକାଣ୍ଡକୁ ନେଇ ଶସ୍ତା ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା । ବିଜେପିକୁ ସବୁ ସତ ଜଣା, କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଏହାକୁ ନେଇ ରାଜନୀତି କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଇପସିତା ସାହୁ ।

ଇପସିତା କହିଛନ୍ତି,  ବିଜେପି ଶାସିତ ରାଜ୍ୟରେ ଅପରାଧ ଲଗାତାର ବଢୁଛି । ଏପରିକି ବିଜେପି ନେତାଙ୍କ ଏଥିରେ ସମ୍ପୃକ୍ତି ରହୁଛି । କିନ୍ତୁ ସେତେବେଳେ ବିଜେପିର ମହିଳା ମୋର୍ଚ୍ଚା ପୂରା ଚୁପ୍ । ସେତେବେଳେ ପ୍ରଶାସନ ଓ ପୋଲିସ ଉପରେ ଭରସା ରଖିବାକୁ କହୁଛି । କିନ୍ତୁ ମମିତା ହତ୍ୟାକାଣ୍ଡ ଘଟଣାରେ ଶସ୍ତା ରାଜନୀତି କରୁଛି ବିଜେପିର ମହିଳା ମୋର୍ଚ୍ଚା । ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ ନେଇ ରାଜନୀତି କରିବାକୁ ପଛାଉ ନାହିଁ । ବିଜେଡି ଚାହୁଁଛି ମମିତାଙ୍କ ପରିବାରକୁ ନ୍ୟାୟ ମିଳୁ । କିନ୍ତୁ ବିଜେପି ଏହାକୁ ନେଇ ରାଜନୀତି କରୁଛି । ଥାନାକୁ ଯାଇ ବିନା କାରଣରେ ହୋହାଲ୍ଲା କରୁଛନ୍ତି । ମମିତା ହତ୍ୟାକାଣ୍ଡ ମାମଲାରେ ଗୋଟିଏ ଥର ଏଫଆଇଆର ହୋଇଛି, ଏହାକୁ ନେଇ ତଦନ୍ତ ଆଗକୁ ବଢୁଥିବା ବେଳେ ପୁଣିଥରେ ଏଫଆଇଆର ଦେଉଛନ୍ତି । କିନ୍ତୁ ଗୋଟିଏ ମାମଲାରେ ଥରେ ଏଫଆଇଆର ଦାୟର କରାଯାଏ ବୋଲି କହିଛନ୍ତି ଇପସିତା ।

ସେହିଭଳି ମମିତା ହତ୍ୟାକାଣ୍ଡକୁ ନେଇ ବିଜେପି ଯେଉଁଭଳି ଶସ୍ତା ରାଜନୀତି କରୁଛି ତାହାକୁ ପୂରା ଓଡ଼ିଶାବାସୀ ଦେଖୁଛନ୍ତି, କଳାହାଣ୍ଡିବାସୀ ଦେଖୁଛନ୍ତି  । ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଯେଉଁ ରାଜନୀତି କରୁଛି ତାହାକୁ କ୍ଷମା ଦେବେନି ଓଡ଼ିଶାବାସୀ । ଏବେଠୁ ଚେତିଯାଉ ବିଜେପି, ନଚେତ ଓଡିଶାବାସୀ ଆପଣଙ୍କୁ ତିରସ୍କାର କରିବେ ବୋଲି କହିଛନ୍ତି ଇପସିତା । ବିନା ପ୍ରମାଣ ଆଧାରରେ କେବଳ ଶସ୍ତା ରାଜନୀତି କରିବା ଗ୍ରହଣୀୟ ନୁହେଁ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏବଂ ସବୁ ଦୋଷୀଙ୍କୁ ଖୁବଶୀଘ୍ର ଦଣ୍ଡ ନିଶ୍ଚୟ ମିଳିବ ।