ନବ ଦାସ ହତ୍ୟା ଚାର୍ଜସିଟ୍ ପ୍ରସଙ୍ଗରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି  । ତୁଷାରକାନ୍ତି କହିଲେ ଚାର୍ଜସିଟ ସାର୍ବଜନୀନ କରାଯିବ, ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ  ।

115

କନକ ବ୍ୟୁରୋ :  ନବ ଦାସ ହତ୍ୟା ଚାର୍ଜସିଟ୍ ପ୍ରସଙ୍ଗରେ ବିଜେପିର ଅଭିଯୋଗ ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପ୍ରତିକ୍ରିୟା । ନବ ଦାସ ହତ୍ୟା ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ତଦନ୍ତ କାମ ହାତକୁ ନିଆଯାଇଥିଲା । ତଦନ୍ତ ଶେଷ ହେବା ପରେ ଏହାର ଚାର୍ଜସିଟ୍ ଦାଖଲ ହୋଇଛି । ଯେହେତୁ ବିଚାର ବିଭାଗୀୟ ତଦନ୍ତ ହୋଇଥିଲା ତେଣୁ  ଏବେ ବି ଅନେକ ପ୍ରକ୍ରିୟା ବାକି ଅଛି । କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଚାର୍ଜସିଟ ବାବଦରେ ସବୁ ସାର୍ବଜନୀନ କରାଯିବ । ବଡ଼ ବଡ଼ ଲୋକଙ୍କୁ ଖସେଇ ଦିଆଯାଇଥିବା ଓ ଦଫା ଲାଗିନି ବୋଲି କରାଯାଇଥିବା ଅଭିଯୋଗ ଭିତ୍ତିହୀନ  । ଚାର୍ଜସିଟ ଆସିଲେ ତାହାର ନକଲ ସାର୍ବଜନୀନ କରାଯିବ ବୋଲି କହିଛନ୍ତି  ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଚାର୍ଜସିଟରେ ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ  କରାଯାଉନି ତ ? ଏନେଇ ପାଲଟା ପ୍ରଶ୍ନ ଉଠାଇଛି । ନବଦାସ ହତ୍ୟା ଘଟଣା ନେଇ ଚାର୍ଜସିଟ ଦାଖଲ ହୋଇଛି । ହେଲେ ସେଥିରେ ଅଛି କ’ଣ ? ହତ୍ୟାକାଣ୍ଡ ପଛର ରହସ୍ୟ କଣ ? କ୍ରାଇମବ୍ରାଞ୍ଚ ସଠିକ୍ ଭାବେ ତଦନ୍ତ କରୁଛି ତ? ଏନେଇ ଅନେକ ପ୍ରଶ୍ନ ଉଠିଛି । ସେଭଳି ବିଧାନସଭାରେ ମଧ୍ୟ ଗୋପାଳ ଦାସ ସମେତ ଅନେକ ନାଁ ଉଠିଥିଲା । ଏପରିକି କଲ ରେକର୍ଡ ଯାଞ୍ଚ କରିବାକୁ ଦାବି ମଧ୍ୟ କରାଯାଇଥିଲା । ହେଲେ ସେ ଦିଗରେ ତଦନ୍ତ କରାଯାଇନି । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚାପରେ ରହିଥିବା ବେଳେ ତାଙ୍କୁ ଭୟଭୀତ କରି ରଖାଯାଇଥିବା କଥା ମଧ୍ୟ ଉଠିଛି ।

ତଦନ୍ତ ପ୍ରକ୍ରିୟା ଚାଲିଥିବ ବେଳେ ଗୋପାଳ ଦାସକୁ ପାଗଳ ବୋଲି କୁହାଯାଇଥିଲେ ବି ପରେ ତଦନ୍ତରେ ପରିବର୍ତନ କରାଯାଇଛି । ତେଣୁ ସରକାର ନିଜେ ସମ୍ପୃକ୍ତ ଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିବା ଦଳ ଅଭିଯୋଗ କରିଛି ।