ଅପରାଜିତାଙ୍କୁ ଘଣ୍ଟ ଘୋଡାଇବାକୁ ବିଜେପି କରୁଛି ପ୍ରେସମିଟ୍ । କାର୍ଯ୍ୟାନୁଷ୍ଠାନ ନେବାରୁ ଆକ୍ରୋଶମୂଳକ ଭାବେ ବିଏମସି କମିଶନରଙ୍କ ବିରୋଧରେ ବିଜେପି ଓଗାଳୁଛି ବିଷ । ବିଜେଡି ଆଣିଲା ବଡ ଅଭିଯୋଗ ।

343

କନକ ବ୍ୟୁରୋ : ସାଂସଦ ଅପରାଜିତାଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଉଛି ବିଜେପି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଭୁବନେଶ୍ୱର ବିଜେପି ସଙ୍ଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବାକୁ ବିଜେପି ନେତା ବାବୁ ସିଂହ ଆଗେଇ ଆସିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଗୋଟିଏ ପଟେ ଭୁବନେଶ୍ୱର ବିଜେପିରେ ଗୋଷ୍ଠୀ ବିବାଦ ଜୋର ଧରିଥିବା ବେଳେ ଅନ୍ୟପଟେ ରାଜନୈତିକ ସଭା କରି ଜାଣିଶୁଣି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥିପାଇଁ ଭୁବନେଶ୍ୱର ସାଂସଦଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଏପରିକି ଯେତେ ବଡ ଲୋକ ହେଲେ ମଧ୍ୟ କୋଭିଡ ନିୟମ ଭାଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏପରିକି ଆଇନର ଉଦ୍ଧ୍ୱର୍ରେ କେହି ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିବା ପରେ ମଧ୍ୟ ବିଭିନ୍ନ ରାଜନୈତିକ ସଭା କରି କୋଭିଡ ନିୟମକୁ ବାରମ୍ବାର ଭଙ୍ଗ କରୁଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ତେଣୁ ତାଙ୍କ ବିରୋଧରେ ବିଏମସି କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଭୁବନେଶ୍ୱର ବିଜେପି ଶିବିର ଏଥିରେ ଉତକ୍ଷିପ୍ତ ହୋଇ ଉଠିଛି । ସାମ୍ବାଦିକ ସମ୍ମଳନୀ କରି ନିର୍ଦ୍ଦିଷ୍ଟ ମଲର ସୌନ୍ଦର୍ଯ୍ୟକରଣ ମାମଲାରେ ବିଏମସି କମିଶନରଙ୍କ ବିରୋଧରେ ବିଜେପି ବିଷ ଓଗାଳୁଛି ବୋଲି ବିଜେଡି କହିଛି । କରୋନା ମହାମାରୀ ସମୟରେ ଏଭଳି ହୀନ ରାଜନୀତି କରିବା ଅପେକ୍ଷା ବେଆଇନ କାର୍ଯ୍ୟକଳାପ ପାଇଁ ଅପରାଜିତା କ୍ଷମା ମାଗିବା ସହ କରୋନା ମୁକାବିଲାରେ ସାମିଲ ହେବାକୁ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପରାମର୍ଶ ଦେଇଛନ୍ତି ।