କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କୁ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅପରାଜିତା କେବଳ ଶୋ’ ବାଜି କରୁଥିବା କହିଛନ୍ତି ପ୍ରମିଳା । ସେ କହିଛନ୍ତି, ଅପରାଜିତାଙ୍କୁ ତାଙ୍କ ଦଳରେ କେହି ସମର୍ଥନ କରୁନାହାନ୍ତି । ସରକାର କର୍ମକର୍ତା ମନା କରିବା ସତ୍ୱେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା । ସେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଚାହୁଁଥିବା କହିଛନ୍ତି ପ୍ରମିଳା ।
ସେହିପରି ବିଜେପି ନେତ୍ରୀ ସୋନାଲୀ ସାହୁ କାହା ନାଁ ନନେଇଥିଲେ ମଧ୍ୟ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ସହ ଅଛନ୍ତି । ଏକ ସୁସ୍ଥ ଓଡ଼ିଶା ଗଠନ କରିବା ଆମର ଲକ୍ଷ୍ୟ । କିନ୍ତୁ କିଛି କୁଚକ୍ରୀ ଏହା ବିରୋଧରେ ଯିବାକୁ ଚେଷ୍ଟା କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ତେଣୁ ଏକଥା ଆମକୁ କେହି ଅଣଓଡ଼ିଆ ବୁଝାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୋନାଲି ସାହୁ ।
ଅନ୍ୟପଟେ ଅପରାଜିତାଙ୍କୁ ସମର୍ଥନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ଅପରାଜିତାଙ୍କୁ ସମର୍ଥନ କରି ସେ କହିଛନ୍ତି, କାଲି ଅପରାଜିତା ଦର୍ଶନ ପାଇଁ ଯାଇଥିଲେ । ବିକାଶକୁ କେହିବି ବିରୋଧ କରୁନାହାନ୍ତି । ସବୁକିଛି ନିୟମ ଅନୁସାରେ ହେବା ଦରକାର । ତେଣୁ ବିକାଶକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ଜୟନ୍ତ । ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କେନ୍ଦ୍ରଠୁ ଅନୁମତି ଆଣିବା ଦରକାର । କୌଣସି ବଡ ବଡ କାମ ହେଉନାହିଁ । ନିଅଁ ଖୋଳା ଚାଲିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ ହେଉଛି । ଯେପରି କୌଣସି ବିପର୍ଯ୍ୟୟରେ ଏହା ନଷ୍ଟ ହେବ ନାହିଁ । ଯାହା ପ୍ରକଳ୍ପରେ ଅଛି ସେହି କାମ ହିଁ ହେବ । ଏଏସଆଇ ସବୁ ଜାଣିଛି, କାମ ହେଉଛି । ଏଏସଆଇ ହିଁ ବଦମାସୀ କରୁଛି । ବିକାଶ ହେଉଛି, ରାଜନୀତି ନହେଉ ।