କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସରକାର ଓ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିବା ପରେ ବିଜେଡି ପକ୍ଷରୁ ଏହାର ପାଲଟା ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍ । ନଡ୍ଡାଙ୍କ ବୟାନକୁ ନେଇ ମୁନା କହିଛନ୍ତି, ରାଜନୀତି ହେଉ ବା ଯୁଦ୍ଧ, ସବୁ କ୍ଷେତ୍ରରେ ସେନାପତିର ଗୁରୁତ୍ୱ ଅଧିକ ଥାଏ । ବିଜେପିର ଯେଉଁ ସେନାପତି କାଲି ଆସିଥିଲେ ସେ ତାଙ୍କ ନିଜ ରାଜ୍ୟରେ ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି,ତାଙ୍କ ଜିଲ୍ଲାରେ ମଧ୍ୟ ସେ ହାରିଛନ୍ତି । ନିଜ ରାଜ୍ୟରେ ଦଳକୁ ଜିତେଇ ପାରୁନାହାନ୍ତି, ଓଡ଼ିଶାରେ ଆସି ଜିତାଇବା କଣ ସମ୍ଭବ? ତାଙ୍କ ସଂଗଠନ ପୁରା ଦୁର୍ବଳ ହୋଇଯାଇଛି ଓଡ଼ିଶାରେ । ସେଥିପାଇଁ ସେମାନେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଘନ ଘନ ଓଡିଶା ଆଣୁଛନ୍ତି । ସେମାନଙ୍କ ଗସ୍ତରେ କୌଣସି ପ୍ରଭାବ ପଡିବନି,ଆମେ ତାଙ୍କ କଥାକୁ ଗୁରୁତ୍ୱ ଦେଉନୁ । ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସଂଗଠନ ମଜବୁତ ଅଛି ।
ସେହିଭଳି ଓଡ଼ିଶାରେ ସରକାର କିଏ ଚଳାଉଛି ବୋଲି ନଡ୍ଡା ଯେଉଁ ପ୍ରଶ୍ନ କରିଥିଲେ ଏହାର ଉତ୍ତର ରଖିଛି ବିଜେଡି । ମୁନା ଖାନ୍ କହିଛନ୍ତି, ଦୀର୍ଘ ବର୍ଷରୁ ବିଜେଡି ବିରୋଧରେ ସେମାନେ ଏହି ଅଭିଯୋଗ କରି ଆସୁଛନ୍ତି,ସେଥିରେ ଆମର ଗୁରୁତ୍ୱ ଦେବାର ନାହି । ସାରା ଭାରତ ଓ ସାରା ଓଡିଶା ଜାଣିଛନ୍ତି ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶାରେ ସରକାର ଚାଲିଛି ଓ ନବୀନ ବାବୁଙ୍କ ବିନା ନିର୍ଦେଶରେ କୌଣସି କାର୍ଯ୍ୟ ହେବାର ସମ୍ଭାବନା ନାହିଁ ।ସେମାନେ ଅଭିଯୋଗଆଣୁଛନ୍ତି । ଅଭିଯୋଗ କରିବାରେ କୌଣସି ଅସୁବିଧା ନାହିଁ । ଆମ ସରକାର ବଢିଆ ଚାଲିଛି । ଆଗାମୀ ନିର୍ବାଚନରେ ପୁଣିଥରେ ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସରକାର ଗଢିବ ।
ସେହିଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ବିଜେଡି ସାଂସଦ ମୁନା ଖାନ୍ କହିଛନ୍ତି, ଓଡିଶା ବାସୀଙ୍କ ସେବାରେ ବିଜେଡି ୨୫ ବର୍ଷ ପୂରଣ କଲା । ଯଦି ବିଜେଡି ଓଡିଶା ବାସୀଙ୍କ ସେବା ୧୦୦ ବର୍ଷ ଯାଏଁ କରିବ ସେଥିରେ ଅସୁବିଧା କେଉଁଠି? ସେଥିରେ ଅହଂକାର କେଉଁଠି ରହିଲା । ସେମାନେ ଅହଙ୍କାର କରୁଛନ୍ତି,ସେମାନେ ମନ ଇଛା ବିଭିନ୍ନ ରାଜନୈତିକ ଦଳର ଲୋକଙ୍କୁ ହଇରାଣ କରୁଛନ୍ତି । କେଉଁଠି ଇଡି କେଉଁଠି ସିବିଆଇ ପୁରାଉଛନ୍ତି ସେକଥା ସାରା ଦୁନିଆ ଜାଣିଛି । ବିଜୁ ଜନତା ଦଳର କିମ୍ବା ଦଳର ନେତାଙ୍କର ଅହଙ୍କାର ନାହିଁ । ଏଭଳି କହି ଉଭୟ ନଡ୍ଡା ଓ ଧର୍ମେନ୍ଦ୍ରଙ୍କ କଡା ଜବାବ ଦେଇଛି ବିଜେଡି ।
Follow Us