ବିଜୟ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ସୁପ୍ରିମୋ । କହିଲେ, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବୁ

104

କନକ ବ୍ୟୁରୋ : ଭିଡିଓ କନଫରେନିଂ ଜରିଆରେ ତିର୍ତ୍ତୋଲ ଓ ବାଲେଶ୍ୱରର କର୍ମୀ, ପର୍ଯ୍ୟବେକ୍ଷକ ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପ ନିର୍ବାଚନରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଜନସାଧାରଣ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିବାରୁ ଲୋକମାନଙ୍କୁ ନବୀନ କୃତଜ୍ଞତା ଜଣାଇଥିଲେ ।

ଏନେଇ ନବୀନ କହିଥିଲେ, ଉପନିର୍ବାଚନରେ ବିଡେଡିର ବିଜୟମାନେ ଜନସାଧାରଣଙ୍କ ବିଜୟ । ଏହି ବିଜୟର ଶ୍ରେୟ ହେଉଛନ୍ତି ଜନସାଧାରଣ, କର୍ମୀ, ନେତା ଓ ପର୍ଯ୍ୟବେକ୍ଷକମାନେ । କେଭିଡ ସମୟରେ ଏହା ଏତେ ସହଜ ନଥିଲା । ଏଭଳି ପରିସ୍ଥିତିରେ ସବୁ ସୁରୁଖୁରୁରେ ହୋଇଥିବା ସମସ୍ତଙ୍କୁ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ ।

ଏହାସହ ନବୀନ ପଟ୍ଟନାୟକ ଉଭୟ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ନିର୍ବାଚନ ବେଳେ ଦଳ ଦେଇଥିବା ପ୍ରତିଶ୍ୃତିକୁ ନିଷ୍ଠାର ସହ ପାଳନ କରାଯିବ । ପଞ୍ଚାୟତ ଓ ୱାର୍ଡକୁ ଯାଇ ଲୋକମାନଙ୍କୁ ସମସ୍ୟା ବୁଝି ତାଙ୍କୁ ଜଣାଇବାକୁ ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଉଭୟ ଆସନର ବିଜୟୀ ପ୍ରାର୍ଥୀ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାଶଙ୍କୁ ନିର୍ବାଚନ ମଣ୍ଡଳୀର ବିକାଶ କାମ ସହିତ ଲୋକଙ୍କ ସେବା ଜାରି ରଖିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ବିଧାୟକଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।