ଗଞ୍ଜାମରେ ବିଜେଡି ସୁପ୍ରିମୋଙ୍କ ଗର୍ଜନ । ଆରମ୍ଭରୁ ନିଶାନାରେ ବିଜେପି । କହିଲେ, ବିଜେପି ନେତାମାନେ ଭୋଟବେଳେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ।

151

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ଉଷ୍ମ ହେବାରେ ଲାଗୁଛି । ବିଶେଷ କରି ନିର୍ବାଚନୀ ପ୍ରଚାର ଯାହାର ଯେତେ ଭଲ ହେବ ସିଏ ଜନତା ଜନାର୍ଦ୍ଧନଙ୍କ ମନ ଜଣିପାରିବ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଆଉ ଏହାରି ଭିତରେ ଶାସକ ବିଜେଡିର ବିଗ୍ ବସ୍ ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମରୁ ପ୍ରଚାର ଆରମ୍ଭ କରିଛନ୍ତି । ବିଜେପିର କେନ୍ଦ୍ର ଶିବିରରୁ ଶୀର୍ଷନେତାମାନେ ମାରାଥନ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ବିଜେଡି ସୁପ୍ରିମୋ ଏହାକୁ କାଉଣ୍ଟର କରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଉ ପ୍ରଚାର ଆରମ୍ଭରୁ ବିଜେପିକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ନବୀନ ।

ଗଞ୍ଜାମ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରରେ ଯୋଗଦେଇ ନବୀନ କହିଛନ୍ତି କି, ଭୋଟ୍ ପାଇବାର ୫ ବର୍ଷରେ ଭିତରେ ଥରେ ହେଲେ ଦେଖା ମିଳିବ ନାହିଁ କିନ୍ତୁ ଭୋଟ୍ ସମୟରେ ପ୍ରତିଦିନ ଚାଲିଆସିବେ । ତେବେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି ନବୀନ କହିଛନ୍ତି ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରତିଶ୍ରୁତି ଗଲା କୁଆଡ଼େ? ବର୍ଷକୁ ୨ କୋଟି ଆଉ ୫ ବର୍ଷରେ ୧୦ କୋଟି ନିଯୁକ୍ତି ଗଲା କୁଆଡ଼େ ? ଏସସି-ଏସଟି ପିଲାଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ରାଜ୍ୟରେ ଅନେକ ପ୍ରାକୃତିକ ଦୁର୍ବିପାକ ହୋଇଛି କିନ୍ତୁ ସେ ସମୟରେ କେନ୍ଦ୍ରରୁ କେହି ଆସିଲେ ନାହିଁ । ତିତିଲୀ, ହୁଡ଼ହୁଡ଼ ଓ ଫାଇଲିନ୍ ଭଳି ଅନେକ ବିପର୍ଯ୍ୟୟ ଦେଖିଛି ଓଡ଼ିଶା । ସବୁ କ୍ଷେତ୍ରରେ ରାଜ୍ୟକୁ ଅବହେଳା କରିଛି କେନ୍ଦ୍ର ସରକାର । ଚାଷୀଙ୍କ ଠାରୁ ଆରମ୍ଭ କରି ଯୁବକଙ୍କ ସହିତ ପ୍ରତାରଣାର ଜବାବ ରାଜ୍ୟବାସୀ ଉଚିତ୍ ସମୟରେ ଦେବେ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।