ଗୁଣୁପୁରରେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ । କହିଲେ, ଏମାନେ ସବୁ ବିରାଡ଼ି ବୈଷ୍ଣବ, ମହିଳା ଓ ଗରୀବଙ୍କ ପ୍ରତି ଦରଦ ନାହିଁ ।

92

କନକ ବ୍ୟୁରୋ: ପ୍ରଚାର ଜରିଆରେ କେନ୍ଦ୍ରକୁ ପୁଣି ନିଶାନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାୟଗଡ଼ା ଗୁଣପୁର ପ୍ରଚାର ମୈଦାନକୁ ଓହ୍ଲାଇ କେନ୍ଦ୍ର ଉପରେ ବର୍ଷି କହିଛନ୍ତି ଯେ, “ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଜାରି ରଖିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଏଥିପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ । ଏପରିକି ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର ମନା କରିଦେଲେ । ହେଲେ ରାଜ୍ୟ ସରକାର ନିଜ ଉଦ୍ୟମରେ ଟଙ୍କିକିଆ ଚାଉଳ ଦେଉଛନ୍ତି । ୩୦ ଲକ୍ଷ ଗରୀବଙ୍କୁ କେନ୍ଦ୍ର ସରକାର ଟଙ୍କିକିଆ ଚାଉଳ ଦେବାକୁ ମନାକଲେ । ଏହା ଆପଣଙ୍କ ଟଙ୍କା କାହା ଦୟାରେ ଏହି ଯୋଜନା ନୁହେଁ ବୋଲି କହିଛନ୍ତି ନବୀନ ।

ସେହିଭଳି କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ କାଉଣ୍ଟର କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କା ଦେଉଛୁ । ପିଇବା ପାଣି ପାଇଁ କେନ୍ଦ୍ର ଦେଇଛି ୧ ହଜାର କୋଟି । ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୧୨ ହଜାର କୋଟି । ତିତଲୀ ଆସିଲା ରାଜ୍ୟର କ୍ଷତି ହେଲା କିନ୍ତୁ କେନ୍ଦ୍ର ସରକାର ହାତ ବଢ଼ାଇଲେ ନାହିଁ । ଏପରିକି ଆନ୍ଧ୍ରକୁ ଆଗ ଓ ପରେ ଓଡ଼ିଶାବାସୀଙ୍କ କଥା ମନେ ପଡ଼ିଲା ବୋଲି କହି କଟାକ୍ଷ କରିଛନ୍ତି ନବୀନ ।

ସବୁବେଳେ ରାଜ୍ୟକୁ ଅବହେଳା କରିଆସିଛି କେନ୍ଦ୍ର । ଓଡ଼ିଶାର ଗରୀବ ଲୋକ ଏବଂ ଓଡ଼ିଶା ପ୍ରତି କେନ୍ଦ୍ରର ଦରଦ ଅନେକ ସମୟରେ ବୟାନ କରିଛି । ତେଣୁ ଆପଣଙ୍କ ସୁଖଃ ଦୁଖରେ ମୁଁ ସାଥି ହୋଇ ଚାଲିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବି । ତେଣୁ ମୋତେ ଅର୍ଶିବାଦ କରନ୍ତୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।