ବଡମ୍ବାରୁ ନବୀନଙ୍କ ବଡ ବୟାନ । ଡବଲ ଇଞ୍ଜିନ ପରେ ମେନ୍ ଇଞ୍ଜିନକୁ କଲେ ଆଟାକ୍ । କହିଲେ, ମେ ୨୩’ରେ ଲାଇନଚ୍ୟୁତ ହେବ ଦିଲ୍ଲୀର ମେନ୍ ଇଞ୍ଜିନ ।

797

କନକ ବ୍ୟୁରୋ : ପୁଣି ବିଜେପିକୁ ନବୀନଙ୍କ ସିଧା ନିଶାନା । ବାଙ୍କୀ-ବଡମ୍ବାରେ ପ୍ରଚାର ମଇଦାନରେ ମୋଦିଙ୍କ ଡବଲ ଇଞ୍ଜିନକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ଡବଲ ଇଞ୍ଜିନର କଥା କହୁଛନ୍ତି । ତେବେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ଓଡିଶାର ଇଞ୍ଜିନ କିଏ ? ସେ ବିଷୟରେ ବିଜେପି ନେତା କିଛି କହିପାରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏପରିକି ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି ପ୍ରଶ୍ନବାଣରେ ବିଜେପିକୁ ଘାଇଲା କରିଛନ୍ତି ବିଜେଡି ସୁପ୍ରିମୋ ।

ଅନ୍ୟପଟେ ବିଜେପିର ଡବଲ ଇଞ୍ଜିନରୁ ୫ଟି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲାଣି ବୋଲି କଟାକ୍ଷ କରିଛନ୍ତି ନବୀନ । ଆଉ ଆସନ୍ତା ମେ ୨୩ରେ ଦିଲ୍ଲୀର ମେନ୍ ଇଞ୍ଜିନ ମଧ୍ୟ ଲାଇନଚ୍ୟୁତ ହୋଇଯିବ ବୋଲି କହି ବିଜେପି ଉପରେ ସିଧାସଳଖ ବର୍ଷିଛନ୍ତି ବିଜେଡି ସୁପିମୋ । ସେହିଭଳି ନିକଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ନବୀନ, ବିଜେପିର ଓଡିଶା ଇଞ୍ଜିନ କିଏ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସିଏ କେଉଁ ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି ଭଳି ପ୍ରଶ୍ନ କରି ବିଜେପିକୁ କାଉଣ୍ଟର କରିଥିଲେ । ଆଉ ଆଜି ବିଜେପିର ଦିଲ୍ଲୀ ମେନ୍ ଇଞ୍ଜିନ୍ ଲାଇନଚ୍ୟୁତ ହେବ ବୋଲି ନବୀନ ଦେଇଥିବା ବୟାନ, ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।

ସେହିପରି ପ୍ରଚାର ମଇଦାନରେ ବାରମ୍ବାର କେନ୍ଦ୍ର ଉପରେ ବର୍ଷୁଥିବା ନବୀନ, ଆଜି ବଡମ୍ବାରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ନିଶାନା କରିଛନ୍ତି । ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତା ମାନେ ଓଡିଶାକୁ ଆସୁଛନ୍ତି । ଗରିବଙ୍କ କଥା ଏବେ ମନେ ପଡୁଛି । ୫ ବର୍ଷ ଧରି ଆଗରୁ କେଉଁଠି ଥିଲେ ? ୫୦ ଲକ୍ଷ ଲୋକ ଚାକିରି ହରାଇଲେ, ଦରଦାମ ବଢିଲା, ଗ୍ୟାସ, ପେଟ୍ରୋଲ ଦମଦାମ ବି ବଢିଲା । ଲୋକ ସବୁ ଜାଣିପାରୁଛନ୍ତି । ଗରିବଙ୍କୁ ଆହୁରି ଗରିବ କଲେଣି । ଚାଷୀ, ମହିଳା, ଯୁବକ, ଶ୍ରମିକ ସଭିଏଁ ଏହାର ଉତ୍ତର ମାଗୁଛନ୍ତି ବୋଲି ନବୀନ କହିଛନ୍ତି । ପ୍ରତିଥର ଭଳି ନବୀନ ଏଥର ମଧ୍ୟ କହିଛନ୍ତି, ‘ସାଢେ ୪ କୋଟି ଓଡିଆ ମୋ ପରିବାର । ମୋତେ ଆର୍ଶିବାଦ କରିଚାଲନ୍ତୁ, ମୁଁ ସେବା କରିଚାଲିଥିବି ।’