ପଟ୍ଟାମୁଣ୍ଡାଇରୁ ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ ? କହିଲେ, ଭୋଟ୍ ପାଇଁ ଗୋଟିଏ ମାସରେ ୧୦ ଥର ଆସିଲ, ପ୍ରାକୃତିକ ବିପତ୍ତି ବେଳେ କୁଆଡ଼େ ଗଲ?

174

କନକ ବ୍ୟୁରୋ: ଶେଷ ପ୍ରଚାରେ ବିଜେପି ଉପରେ ପ୍ରବଳ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ପ୍ରଚାର ମୈଦାନରୁ ମୋଦିଙ୍କୁ ନିଶାନା କରି ନବୀନ କହିଛନ୍ତି କି, ଓଡ଼ିଶାବାସୀ ନୁହନ୍ତି, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ । ତେଣୁ ଭୋଟ୍ ପାଇଁ ଗୋଟିଏ ମାସରେ ୧୦ ଥର ଓଡ଼ିଶା ଅସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଯେତେବେଳେ ରାଜ୍ୟବାସୀ ପ୍ରାକୃତିକ ବିପର୍ଯ୍ୟୟ ଦୁଃଖରେ ବୁଡ଼ିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା ନଥିଲା । ୨୦୧୪ ଅକ୍ଟୋବର ୧୪ରେ ହୁଡ଼ହୁଡ଼ ସମୟରେ ପ୍ରଧାନମନ୍ତ୍ରୀ ଆନ୍ଧ୍ର ଯାଇଥିଲେ କିନ୍ତୁ ଓଡ଼ିଶାକୁ ଆସିଲେନି ବୋଲି କହିଛନ୍ତି ନବୀନ ।

ସେହିପରି ୨୦୧୭ ଅଗଷ୍ଟ ୨୬ରେ ବନ୍ୟାବେଳେ ବିହାର, ସେହିବର୍ଷ ଜୁଲାଇ ୨୫ରେ ବନ୍ୟାବେଳେ ଗୁଜୁରାଟ, ଅଗଷ୍ଟ ୧ ବନ୍ୟାବେଳେ ଆସାମ ଓ ୨୦୧୮ ବନ୍ୟାବେଳେ କେରଳ ଯାଇଥିଲେ ମୋଦି । କିନ୍ତୁ ୨୦୧୫ ଭୟଙ୍କର ମରୁଡ଼ି ଆଉ ନିକଟରେ ଓଡ଼ିଶା ଦେଖିଥିବା ତିତଲୀ ଓ ବନ୍ୟା ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସିଲେ କାହିଁକି ଆସିଲେ ନାହିଁ ବୋଲି ପ୍ରଚାର ମୈଦାନରୁ ପ୍ରଶ୍ନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ଓଡ଼ିଶାକୁ ବାରମ୍ବାର ଅବହେଳା କରୁଛି କେନ୍ଦ୍ର । କେବଳ ନିର୍ବାଚନ ବେଳେ ଭୋଟ୍ ପାଇଁ କେନ୍ଦ୍ରୀୟ ନେତାଙ୍କ ଦେଖାମିଳୁଛି । ବିଗତ ୫ ମଧ୍ୟରେ ଓଡ଼ିଶା ଦେଖିଥିବା ବିଭିନ୍ନ ବିପତି ସମୟରେ ଓଡ଼ିଶାବାସୀଙ୍କୁ ଅଣଦେଖା କରି ଅନ୍ୟ ରାଜ୍ୟକୁ ପରିଭ୍ରମଣ କଲେ ପ୍ରଧାନମନ୍ତ୍ରୀ ହେଲେ ଓଡ଼ିଶା ପାଇଁ ସମୟ ପାଇଲେ ନାହିଁ । କିନ୍ତୁ ମୁଁ ଆପଣଙ୍କ ସୁଖ, ଦୁଃଖରେ ଆପଣଙ୍କ ସହ ରହିଛି, ରହିବି ଆଉ ରହିଥିବି ବୋଲି କହିଛନ୍ତି ନବୀନ ।