ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଏବଂ ୱାଇଏସଆର କଂଗ୍ରେସ ଉପରେ ବିଜେପିର ନଜର ।

ଦୁଇଦଳ ସହ ଯୋଗାଯୋଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

406

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ନିର୍ବାଚନୀ ଅଙ୍କ କଷା ଚାଲିଛି । ବିଶେଷ କରି ନବୀନଙ୍କ ବିଜୁ ଜନତା ଦଳ, ଜଗନ୍ନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ଓ ନିତୀଶ କୁମାରଙ୍କ ଜେଡିୟୁ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ବାକି ରାଜନୈତିକ ଦଳ ଗୁଡିକ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏହି ତିନୋଟି ରାଜନୈତିକ ଦଳର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ୍ନ ରେଡ୍ଡୀ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶର ଏହି ତିନି ନେତାଙ୍କ ଉପରେ ନଜର । ଏହି ତିନି ନେତା ଓଡିଶା, ଆନ୍ଧ୍ର ପ୍ରଦେଶ ଏବଂ ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଏବଂ ଅଣ ବିଜେପି ଦଳଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଥିବା ବେଳେ ବିଜେପି ପାଖରେ ୪୮.୯ ପ୍ରତିଶତ ଭୋଟ୍ ରହିଛି । ବିଜେପି ଏବେ ଭୋଟ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ରେଡ୍ଡୀଙ୍କ ଉପରେ ଭରସା କରିଛି । ଯଦି ଏହି ଦୁଇ ଦଳ ବିଜେପିକୁ ସମର୍ଥନ କରିବେ ତାହେଲେ କେନ୍ଦ୍ରରେ ଶାସକ ଦଳ ପଲା ଭାରି ହୋଇଯିବ । ଆଉ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଦୁଇ ଦଳ ସହ ଯୋଗାଯୋଗ କରୁଥିବା ସୂଚନା ରହିଛି ।

ଦୁଇ ଦିନ ତଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଅମିତ ଶାହଙ୍କ ସମେତ ଶୀର୍ଷ ବିଜେପି ନେତା ସାମିଲ ଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏନଡିଏ ଏହି ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେଡି ସୁ୍ପ୍ରିମୋ ଏବଂ ୱାଇଏସଆର କଂଗ୍ରେସ ଉପରେ ନଜର ରଖିଛି ।

  • ରାଷ୍ଟ୍ରପତି ନିର୍ବାଚନ ଗଣିତ
  • ବିଜୟ ପାଇଁ ୧.୨% ଭୋଟ୍ ପଛରେ ଏନଡିଏ

ରାଷ୍ଟ୍ରପତି ନିର୍ବାଚନ ଉଭୟ ବିଧାୟକ ଏବଂ ସାଂସଦ ଭୋଟ୍ ଦିଅନ୍ତି । ସଂସଦରୁ ୭୭୬ ସାଂସଦ ଏବଂ ଦେଶର ବିଭିନ୍ନ ବିଧାନସଭାରୁ ୪୧୨୦ ବିଧାୟକ ରହିଛନ୍ତି । ପ୍ରତ୍ୟେକ ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ସହିତ ସମାନ । ଯେଉଁଠାରେ ବିଧାୟକଙ୍କ ଭୋଟର ମୂଲ୍ୟ ସେମାନଙ୍କ ରାଜ୍ୟର ଜନସଂଖ୍ୟା ଏବଂ ଆସନ ସଂଖ୍ୟା ଅନୁସାରେ ଭିନ୍ନ ରହିଥାଏ । ଏନଡିଏ ବର୍ତମାନ ୯୦୦୦ ଭୋଟ୍ ଅର୍ଥାତ୍ ପ୍ରାୟ ୧.୨ ପ୍ରତିଶତ ଭୋଟ୍ ପଛରେ ଅଛି । ବିଜେଡିର ଉଭୟ ଗୃହରେ ମିଶି ୨୧ ଜଣ ସାଂସଦ ଅଛନ୍ତି । ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ୩.୨୨ ପ୍ରତିଶତ ଭୋଟ୍ ରହିଛି । ଯଦି ଗତଥର ପରି ଏନଡିଏ ବିଜେଡିର ସମର୍ଥନ ପାଇବ ତେବେ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇପାରିବ ।

ଅନ୍ୟପଟେ ବିହାରରେ ଏବେ ରାଜନୈତିକ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଏନଡିଏ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ ମୁଖିଆଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଯାହା ବିଜେପି ପାଇଁ ଅଡୁଆ ସୃଷ୍ଟି କରିପାରେ । ସୂଚନାଯୋଗ୍ୟ ଯେ, ସମଦୂରତାର କଥା କହୁଥିବା ନବୀନ ଶେଷ ମୁହୂର୍ତ୍ତରେ ନିଷ୍ପତି ନେଇ ଚକମା ଦେଇଥାନ୍ତି । ୨୦୧୨ରେ ସେତେବେଳର ବିରୋଧୀ ଏନଡିଏ ପ୍ରାର୍ଥୀ ପିଏ ସାଙ୍ଗମାଙ୍କୁ ସମର୍ଥନ ଦେଇଥିବା ବେଳେ ୨୦୧୭ରେ ମୋଦୀଙ୍କ ଫୋନ୍ କଲ ପାଇ ସିଧାସଳଖ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଖୋଲା ସମର୍ଥନ ଦେଇଥିଲେ ନବୀନ ।