ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁରରୁ ବିଜେଡି ସୁପ୍ରିମୋଙ୍କ ଡବଲ ଫାଇଟ୍ ।

255

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ ତାରିଖରେ ହେବାକୁଥିବା ନିର୍ବାଚନରେ ବରଗଡ଼ ସଂସଦୀୟ କ୍ଷେତ୍ର ବିଜେପୁର ଏବଂ ଆସିକା ସଂସଦୀୟ କ୍ଷେତ୍ରର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ନବୀନ ବୋଲି ଘୋଷଣା କରିଛନ୍ତି । ତେବେ ଗତକାଲି ପଶ୍ଚିମ ଓଡିଶାରୁ ନବୀନ ଲଢ଼ିବା ନେଇ ପଶ୍ଚିମ ଓଡ଼ିଶା ନେତା, ଚାଷୀ ଓ ଛାତ୍ରଛାତ୍ରମାନେ ଅନୁରୋଧ କରିଥିଲେ । ଏହାଉପରେ ଗୁରୁତ୍ୱ ଦେଇ ବିଚାର କରୁଛି ବୋଲି କହିଥିଲେ ନବୀନ ।

ବିଗତ ଦୁଇ ଦଶନ୍ଧି ଧରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ୪ଥର ନିର୍ବାଚନ ଲଢ଼ି ଯେଉଁଭଳି ବିଜୟଧାରା ବଜାୟ ରଖିଛନ୍ତି ନବୀନ । ଏବେ ପୁର୍ନବାର ବିଜେଡିକୁ ବିଜୟ ଟିକା ପିନ୍ଧାଇବା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ବରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଫାଇଟ୍ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦୁଇଟି ବିଧାନସଭା ଆସନରୁ ଲଢ଼ିବା ପାଇଁ ଘୋଷଣା କରିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ଅନ୍ୟପଟେ ପଶ୍ଚିମ ଓଡିଶାକୁ ଫୋକସରେ ରଖିଥିବା ନବୀନ ଏଥର ବିଜେପୁର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । କାରଣ ବିଜେପୁର ଉପ ନିର୍ବାଚନ ସମୟରେ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଅଭିହିତ କରିଥିଲେ ନବୀନ । ଏହାର ବିକାଶ କାମକୁ ନିଜେ ଦେଖିବେ ବୋଲି କହିଥିଲେ। ତେବେ ନବୀନଙ୍କ ଫୋକସରେ ଏବେ ବିଜେପୁର ଆସନ ରହିଛି ଏବଂ ସେ ଏହି ବିଧାନସଭା କ୍ଷେତ୍ରରୁ ଲଢ଼ିବାକୁ ସ୍ଥିର କରିଛନ୍ତି ।