ଦୁଇଦିନ ପରେ ପାଟକୁରା ପରୀକ୍ଷା । ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ନବୀନ, ସାବିତ୍ରୀଙ୍କ ପାଇଁ କଲେ ହାଇଟେକ୍ ପ୍ରଚାର ।

208

କନକ ବ୍ୟୁରୋ: ପ୍ରଚାର କଲେ ପ୍ରତିଶ୍ରୁତି ଦେଲେ । ପାଟକୁରାର ବିକାଶ ଦାୟତ୍ୱ ମୁଁ ନିଜେ ବୁଝିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ପରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ହାଇଟେକ୍ ବସରେ ପ୍ରଚାର ବେଳେ ନବୀନ ସଂକ୍ଷିପ୍ତ ଭାଷଣରେ ପାଟକୁରା ବିକାଶ ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ରାପଡ଼ାରେ ବ୍ୟବସାୟୀ ଓ ଧାର୍ମିକ ସଂଗଠନଗୁଡ଼ିକ ବନ୍ଦ ପାଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ର୍ନିବିଘ୍ନରେ ପାଟକୁରା ପ୍ରଚାର କରି ଯାଇଥିଲେ। ଗତ ନିର୍ବାଚନରେ ସେ କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ନେଲେ ବୋଲି ଘୋଷଣା କରି ଭୋଟରଙ୍କ ମନ ଜିଣିଥିଲେ।

ପାଟକୁରାର ବିକାଶ ଏବେବି ମୁଖ୍ୟ ପ୍ରସଙ୍ଗ ଥିବାରୁ ସେ ଏହି ପ୍ରସଙ୍ଗରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭରସା ଜୁଟାଇଛନ୍ତି । ଜିଲ୍ଲାର ଡେରାବିଶ୍, ଗରଦପୁର ଓ ମାର୍ଶାଘାଇ ବ୍ଲକ ବିଭିନ୍ନ ପଂଚାୟତକୁ ଗସ୍ତ କରିବା ଅବସରରେ ସେ ଏହି ସଂକ୍ଷିପ୍ତ ଭାଷଣରେ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଚଣ୍ଡୀଖୋଲ ରାସ୍ତାରେ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।

ମୁଖ୍ୟମନ୍ତ୍ରୀ ବାରିମୂଳ ଠାରେ ଅସ୍ଥାୟୀ ସ୍ୱତନ୍ତ୍ର ହେଲିପ୍ୟାଡରେ ୯ଟା ୫୦ରେ ଓହ୍ଲାଇ ହାଇଟେକ୍ ବସରେ ବସିଥିଲେ। ସେଠାରେ ସେ ଜୟ ଜଗନ୍ନାଥ, ଅପଣମାନେ ଖୁସିତ ଏଥର ପାଟକୁରା ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟକୁ ମୁଁ ବୁଝିବି, ତେଣୁ ଆପଣମାନେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓାଲଙ୍କୁ ଆଶୀର୍ବାଦ କରନ୍ତୁ। ବହୁ ମାତ୍ରାରେ ଭୋଟ ଦେଇ ବିଜୟୀ କରାନ୍ତୁ ବୋଲି କହିଥିଲେ।

ଏହାପରେ ମଙ୍ଗଳପୁର, ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ବାଲିଆ ଓ ଗୋଲରାହାଟ, ପଲେଇ, ଚାନ୍ଦୋଳ, ଖମୋଳ ଓ ରତାଦିଆ-ଖଣ୍ଡସାହି ପ୍ରଭୃତି ପଂଚାୟତର ବିଭିନ୍ନ ଗ୍ରାମରେ ରୋଡସୋ ଜରିଆରେ ନିର୍ବାଚନ ପ୍ରଚାର କରିବା ପରେ ଜଂଟିଲୋ ସ୍ଥିତ ଡାକବଙ୍ଗଳାରେ ମାଧ୍ୟହ୍ନ ଭୋଜନ ପରେ ବିଶ୍ରାମ କରିଥିଲେ । ସେହିପରି ଅପରାହ୍ନରେ ଡେରାବିଶ ବ୍ଲକ ଅଧିନସ୍ଥ ଦାନପୁର, ହରିଅଙ୍କ ଓ ଚାନ୍ଦୋଳ ପଂଚାୟତରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର କରିଥିଲେ ।