ପ୍ରଚାର ମୈଦାନରେ ବିରୋଧୀଙ୍କୁ ନବୀନଙ୍କ ନିଶାନା । କହିଲେ, ଆମର ରିମୋଟ୍ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ହାତରେ ।

98

କନକ ବ୍ୟୁରୋ: ୧୯ ନିର୍ବାଚନୀ କୁରୁକ୍ଷେତ୍ର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲା ବିଜେଡି । ବିଜେଡି ସୁପ୍ରିମୋ କହିଲେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଅବହେଳା କରିଛି କେନ୍ଦ୍ର । ଓଡ଼ିଶା ବିଜେପି ନେତାମାନେ କେନ୍ଦ୍ରୀୟ ଅବହେଳାକୁ ଭଲଭାବେ ଜାଣିଛନ୍ତି । କିନ୍ତୁ ସେମାନେ ତାଙ୍କ ହାଇକମାଣ୍ଡଙ୍କୁ ଏହି ଅବହେଳା ବାବଦରେ କହିପାରିବେ ନାହିଁ । ଏପରିକି ଓଡ଼ିଶାବାସୀଙ୍କ ହକ୍ ପାଇଁ ଲଢ଼େଇ କରି ପାରିପାରିବେ ନାହିଁ । କାରଣ ସେମାନଙ୍କୁ ଦିଲ୍ଲୀ ହାଇକମାଣ୍ଡ କଣ୍ଟ୍ରୋଲ କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନୟାଗଡ଼ରୁ ଶୁଭାରମ୍ଭ ହୋଇଥିବା ବିଜେଡିର ପ୍ରଥମ ନିର୍ବାଚନୀ ପ୍ରଚାରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ଓଡ଼ିଶା ଓ ଓଡ଼ିଶାର ଯୁବପିଢ଼ୀଙ୍କ କ୍ଷେତ୍ରରେ ବିଜେପି ଅନ୍ୟାୟ କରିଛି । ରେଳ କ୍ଷେତ୍ରରେ ସାରା ଭାରତ ବର୍ଷରେ ସବୁଠାରୁ ଅଧିକ ରାଜସ୍ୱ ୨୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଦେଉଛି ଓଡ଼ିଶା । କିନ୍ତୁ କେନ୍ଦ୍ର ଓଡ଼ିଶାକୁ ଦେଉଛି ଏକ ହଜାର କୋଟି । ସେହିପରି କୋଇଲାରୁ କେନ୍ଦ୍ର ସରକାର ଓଡ଼ିଶାରୁ ହଜାର ହଜାର କୋଟି ମୁନାଫା ପାଉଥିଲେ ମଧ୍ୟ ତାହା ଅନ୍ୟ ରାଜ୍ୟରେ ଖର୍ଚ୍ଚ କରାଯାଉଛି । ଏହା କ’ଣ ଓଡ଼ିଶା ପ୍ରତି ଅବହେଳା ନୁହେଁ କି? ଟେଲିକମ୍, ବ୍ୟାଙ୍କିଙ୍ଗ୍ ଜାତୀୟ ରାଜପଥ ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଅବହେଳା କରିଛି କେନ୍ଦ୍ର ।

ସେହିପରି ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ଦଳ । ଆମ ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ । ଆଉ ତାଙ୍କ ହାତରେ ଆମର ରିମୋଟ୍ କଣ୍ଟ୍ରୋଲ ଅଛି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଖରେ ଆମକୁ ଚଳାଇବା ଚାବି ରହିଛି । ସେଥିପାଇଁ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରୁଛୁ ବୋଲି କହିଛନ୍ତି ନବୀନ । ୨୦୧୪ରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବିଜେପି ଏକ ନମ୍ବର ପ୍ରସଙ୍ଗ କରି ରଖିଥିଲା କିନ୍ତୁ ଏହି ପ୍ରତିଶ୍ରୁତି ପ୍ରତାରଣାରେ ପାଲଟିଛି ବୋଲି କହି କେନ୍ଦ୍ରକୁ ନିଶାନା କରିଛନ୍ତି ନବୀନ ।