ବଢ଼ିଲା ତାରକସି ସହରର ରାଜନୀତି ତାତି । ସନ୍ଧ୍ୟାରେ ସିଲଭର ସିଟିରେ ଦୁଇ ଦଳର ସୁପ୍ରିମୋଙ୍କ ହାଇଭୋଲଟେଜ୍ ରୋଡ୍ ସୋ’ ।

267

କନକ ବ୍ୟୁରୋ: ଐତିହାସିକ ତାରକସି କଟକ ସହରର ରାଜନୀତି ତାପମାତ୍ରା ବଢ଼ିବାରେ ଲାଗିଛି । କାରଣ ଗୋଟିଏପଟେ ସନ୍ଧ୍ୟାରେ କଟକ ସହରରେ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ କସରତ ଜାରି ରଖିଥିବାବେଳେ ସିଲଭର ସିଟିରେ ଆଜି ସୁପର ସୋ’ ଦେଖିବାକୁ ମିଳିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଆସନ୍ତା ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମୋ ଆଜି ମାରାଥନ୍ ପ୍ରଚାର କରି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । କରଞ୍ଜିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସିଧାସଳଖ କେନ୍ଦୁଝରରେ ନିର୍ବାଚନ ପ୍ରଚାର କରିବା ସହ ସନ୍ଧ୍ୟାରେ କଟକରେ ଏକ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଦେବାଶିଷ ସାମନ୍ତରାୟ, ଚନ୍ଦ୍ର ସାରଥୀ ବେହେରା ଓ ସୌଭିକ୍ ବିଶ୍ୱାଳଙ୍କ ପାଇଁ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟାନାୟକ । ତେଣୁ ନବୀନ ନରାଜ ଠାରେ ହୋଇଥିବା ହେଲିପ୍ୟାଡରେ ପହଁଚିବାପରେ ସିଡିଏ ରାସ୍ତା ଦେଇ ରୋଡ଼୍ ସୋ କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଏହାପରେ ଭୁବନେଶ୍ୱରରେ ମଧ୍ୟ ମେଗା ରୋଡ୍ ସୋ’ କରିବାର କାର୍ଯ୍ୟସୂଚୀ ରହିଛି ।

amit-vs naveenଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ନବୀନଙ୍କ ରୋଡ୍ ସୋ’କୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ତେଣୁ ଶାହା ସନ୍ଧ୍ୟାରେ କଟକରେ ପହଁଚି ସେ ଏଠାରେ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଅମିତ୍ ଶାହା ସତ୍ୟବ୍ରତ ଷ୍ଟାଡିୟମ୍ ହେଲିପ୍ୟାଡରେ ପହଁଚିବା ପରେ ଚଣ୍ଡିମନ୍ଦିର ଅଭିମୁଖେ ଯିବେ । ଏହାପରେ ବକ୍ସି ବଜାର, ଚୌଧୁରୀ ବଜାର ଓ ଦରଘା ବଜାର ଦେଇ ଚଣ୍ଡି ମନ୍ଦିର ନିକଟରେ ପହଁଚିବେ ବୋଲି ଜଣାପଡ଼ିଛି । ଏହାପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ସୂଚନା ମିଳିଛି । ଅନ୍ୟପଟେ ଦୁଇ ହେଭିୱେଟ୍ ନେତାଙ୍କ ଗସ୍ତ ପାଇଁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କମିସନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।