ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡ଼ରୁଛି କି ବିଜେପି ? ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି , ଡ଼ବଲ ଇଞ୍ଜିନ୍ ଥିଓରୀ ଉପରେ ନବୀନଙ୍କ କଡ଼ା ଜବାବ୍ ।

227

କନକ ବ୍ୟୁରୋ: ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଦଶପଲ୍ଲା ନିର୍ବାଚନୀ ପ୍ରଚାର ମୈଦାନରେ ବିଜେପିକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ବଜେପିକୁ ଶାଣିତ ଆକ୍ରମଣ କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଓଡ଼ିଶା ଇଞ୍ଜିନ୍ ଆଉ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁଠି ତାଙ୍କ ନିର୍ବାଚନ ମଣ୍ଡଳୀ ସ୍ପଷ୍ଟ କରୁ ବିଜେପି । କାରଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ପ୍ରଶ୍ନ କରିଛନ୍ତି ନବୀନ ?

ସେହିପରି ଓଡ଼ିଶାକୁ ଆସୁଥିବା ବିଜେପିର ଶୀର୍ଷନେତା ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଡ଼ବଲ ଇଞ୍ଜିନ୍ କଥା ଉଠାଉଥିବାବେଳ ଏହାକୁ କାଉଣ୍ଟର କରିଛନ୍ତି ନବୀନ । ଆଉ ପ୍ରଶ୍ନ କରିଛନ୍ତି ଯେ, ବିଜେପି ଓଡ଼ିଶାର ଇଞ୍ଜିନ କିଏ ସ୍ପଷ୍ଟ କରୁ ବିଜେପି । ଏପରିକି ଦିଲ୍ଲୀ ଇଞ୍ଜିନ୍ ଆସିଲା କିନ୍ତୁ ଓଡ଼ିଶାକୁ ନୁହେଁ ତାହା ଆନ୍ଧ୍ରକୁ ଗଲା । ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ୍ ଆସୁଛି, ଜୋରଦାର ଗର୍ଜନ ହେଉଛି ତା’ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବୋଲି କହି କଟାକ୍ଷ କରିଛନ୍ତି ନବୀନ ।

ଅନ୍ୟପଟେ ଦଶପଲ୍ଲା ଜନସଭାକୁ ଉଦବୋଧନ ଦେଇ ନବୀନ କହିଛନ୍ତି କି, କାଳିଆ ଯୋଜନା ଆମ ଚାଷୀ ଭାଇଙ୍କ ଯୋଜନା । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ ‘କାଳିଆ’ ଯୋଜନାକୁ କେହି ଅଟକାଇ ପାରିବେନି ବୋଲି ନବୀନ କହିଛନ୍ତି । ଏହାସହ ମହିଳାଙ୍କ ପ୍ରସଙ୍ଗ ନେଇ ନବୀନ କହିଛନ୍ତି ମିଶନଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଆଉ ମା’ ମାନେ ହିଁ ହେଉଛନ୍ତି ସମାଜର ଶକ୍ତି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ରହିଛି , ଆପଣମାନେ ମୋ ପରିବାର , ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିଚାଲିଥିବି ବୋଲି ନବୀନ କହିଛନ୍ତି ।