ଏନଡିଏ ପ୍ରାର୍ଥୀକୁ ସମର୍ଥନ କରି ଜାତୀୟ ରାଜନୀତିକୁ ଚହଲାଇ ଦେଲା ବିଜେଡି !ନେତା କହିଲେ, ଜେଡିୟୁ ପ୍ରାର୍ଥୀକୁ ଦେଇଛୁ ସମର୍ଥନ

35

କନକ ବ୍ୟୁରୋ : ହରିବଂଶଙ୍କୁ ଜିତାଇବାକୁ ହେଲେ ଏନଡିଏ ପାଇଁ ଆଜି ବିଜେଡିର ସମର୍ଥନ ଏକପ୍ରକାର ଜରୁରୀ ଥିଲା । ସମର୍ଥନ ପାଇଁ ଏନଡିଏ ଶିବିରରୁ ବିଜେଡି ସୁପ୍ରିମୋଙ୍କୁ ଘନ ଘନ ଫୋନ୍ ବି ଆସିଥିଲା । ଶେଷରେ ବିଜେଡି ହଁ ଭରିଥିଲା ଏବଂ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ୨୦୧୯ରେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ଉଠିଛି ପ୍ରଶ୍ନ ।

naveenରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଆବଶ୍ୟକ ସଂଖ୍ୟା ନଥିବା ବିଜେପି ପାଇଁ ୯ଜଣ ସାଂସଦ ଥିବା ବଜେଡିର ସମର୍ଥନ ଜରୁରୀ ଥିଲା । ଯେଉଁଥିପାଇଁ ଦିଲ୍ଲୀରୁ ଆସିଥିଲା ଘନଘନ ଫୋନ୍ । ଆଉ ରାଜନୈତିକ ବିଚାରଧାରାରେ ବିଜେପି ଘୋର ବିରୋଧୀ, ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ଲାଖି ରହିଥିଲା ସମସ୍ତଙ୍କ ନଜର । ଆଶ୍ଚର୍ଯ୍ୟ ଜନକ ଭାବେ ଭୁବନେଶ୍ୱରରୁ ଯେଉଁ ବାର୍ତ୍ତା ଦିଲ୍ଲୀ ଦରବାରକୁ ଗଲା, ତାହା ମୋଦି ଆଉ ଶାହା ଯୋଡିଙ୍କୁ ଆଶ୍ୱସ୍ତ କରିଦେଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେଇଛି ବିଜେଡି ।

ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଙ୍କୁ ସମର୍ଥନ ପଛରେ ଏକ ବଳିଷ୍ଠ ଯୁକ୍ତି ବାଢିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି-
– ବିଜେଡି ଓ ଜେଡିୟୁ ମଧ୍ୟରେ ଆଦର୍ଶଗତ ସମାନତା ରହିଛି
– ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଦୁଇ ଦଳର ସୃଷ୍ଟି
– ଉପାଧ୍ୟକ୍ଷ ପଦ ପାଇଁ କଂଗ୍ରେସର ପ୍ରାର୍ଥୀ ମୈଦାନରେ ଥିଲେ
– ହରିପ୍ରସାଦ କଂଗ୍ରେସ ପ୍ରଭାରୀ ଥାଇ ବିଜେଡିକୁ ସମାଲୋଚନା କରୁଥିଲେ
– ସହମତି ଭିତ୍ତିିରେ ନିର୍ବାଚନ ହେଉ ବୋଲି ବିଜେଡି ଚାହୁଁଥିଲା
– ତେଣୁ ଶେଷଯାଏଁ ଅପେକ୍ଷା କରି, ଦଳ ଜେଡିୟୁକୁ ସମର୍ଥନ କଲା

୨୦୧୯ରେ ଯେତେବେଳେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତ ହେଉଛନ୍ତି, ଠିକ ସେତିକିବେଳେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ପ୍ରଶ୍ନ ଉଠିବା ବି ସ୍ୱାଭାବିକ । ଏହା ପଛରେ କିଛି ରାଜନୈତିକ ଅଭିସନ୍ଧି ରହିଛି କି?ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ନେତାଏ ରଣନୀତି କରୁଛନ୍ତି । ମିଶନ ୧୨୦କୁ ନେଇ ତୃଣମୂଳ ସ୍ତରର ନେତା ଦିନରାତି ଏକ କରିଦେଇଛନ୍ତି । ହେଲେ ଜାତୀୟ ସ୍ତରରେ ଆବଶ୍ୟକ ବେଳେ ବିଜେଡିକୁ ଖୋଜା ପଡୁଛି । ଠିକ ସେମିତି ଓଡିଶାର ସ୍ୱାଭିମାନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗକୁ ବିଜେପି ବିରୋଧରେ ଅସ୍ତ୍ର କରିଛି ବିଜେଡି । ହେଲେ ଜାତୀୟ ରାଜନୀତିରେ ଏନଡିଏ ପ୍ରାର୍ଥୀଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ସମର୍ଥନ ଜଣାଉଛି । ଯାହା ଦୁଇ ଦଳର ତଳସ୍ତରର ନେତା ଓ କର୍ମୀଙ୍କ ଭିତରେ ବିରାଟ ଦ୍ୱନ୍ଦ୍ୱ ତିଆରି କରୁଛି ।