ଧର୍ମେନ୍ଦ୍ରଙ୍କୁ ଚେକଦେବେ ପ୍ରଣବ! ୨୪’ ପାଇଁ ବିଜେଡିର ନୂଆ ଟିମ୍

2,414

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା । ୬ ମାସ ଭିତରେ ବିଜେଡି ପୁଣି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକାକୁ ପରିବର୍ତ୍ତନ କରିଛି । ଏହି ତାଲିକାରେ ସବୁଠାରୁ ବଡ କଥା ହେଲା ଧର୍ମେନ୍ଦ୍ରଙ୍କୁ ଚେକ ଦେବାକୁ ରଣନୀତି ତିଆରି କରିଛି ବିଜେଡି । ଆଉ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଜାତୀୟ ଗଣମାଧ୍ୟମ ଓ ବିଜେପି ଅନ୍ଦରମହଲ ଚର୍ଚ୍ଚା ଅନୁସାରେ, ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ନିଜର ହୋମ ଗ୍ରାଉଣ୍ଡ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ନିର୍ବାଚନ ମୈଦାନକୁ ଆସିପାରନ୍ତି । ଏପରିକି ଧର୍ମେନ୍ଦ୍ର ଏହି ଜିଲ୍ଲାଗୁଡିକୁ ମାରାଥନ ଗସ୍ତ କରି ସଙ୍ଗଠନକୁ ସଜାଡୁଛନ୍ତି । ତେଣୁ ବିଜେଡି ଏହାର ଆଭାସ ପାଇ ଟାଣୁଆ ସଙ୍ଗଠକ ପ୍ରଣବଙ୍କୁ ଅନୁଗୁଳୁ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ଦାୟିତ୍ୱ ଦେଇଛି । ପୂର୍ବରୁ ଡେଙ୍କାନାଳ ଦାୟିତ୍ୱରେ ପ୍ରମିଳା ମଲ୍ଲିକ ଓ ସମ୍ବଲପୁର ଦାୟିତ୍ୱରେ ନଳିନୀ ପ୍ରଧାନ ଥିଲେ ।

କିଛି ଦିନ ତଳେ ବିଜେପି ରାଜ୍ୟ ମୁଖିଆ ପରିବର୍ତନ କରିବା ପରେ ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ରାଜନୀତିକୁ ଅଧିକ ସରଗରମ କରିଛି । ବିଜେପି ନୂଆ ସଭାପତି ମନମୋହନ ସାମଲଙ୍କ ନିଜ ଜିଲ୍ଲା ଭଦ୍ରକରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ ବିଜେଡି । ଏଠାରେ ପର୍ଯ୍ୟବେକ୍ଷକ ବଦଳାଯାଇ ପ୍ରତାପ ଜେନାଙ୍କୁ ନୂଆ ପର୍ଯ୍ୟବେକ୍ଷକ କରାଯାଇଛି । ବିଜେଡିର ସଙ୍ଗଠନ ଯେଉଁଠି ଦୁର୍ବଳ ରହିଛି ସେଠାରେ ଟାଣୁଆ ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ।

୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ୯ ଜଣ ମନ୍ତ୍ରୀ । ଅତନୁ ସବ୍ୟସାଚି ନାୟକ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସେପଟେ ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୁଜାରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବାଦ ଦିଆଯାଇଛି ।