ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ସମରସଜ୍ଜା । ଡେଲାଙ୍ଗ, ପିପିଲି ଓ ଏନଏସି ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ।

281

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପୁଣିଥରେ ପିପିଲିରେ ବିଜୟର ବାନା ଉଡାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ବିଜେଡି । କୌଣସି ପରିସ୍ଥିତିରେ ପିପିଲିକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଶାସକ ଦଳ ।

ବିଗତ ଉପନିର୍ବାଚନ ଜିତିବାକୁ ବିଜେଡି ଯେଭଳି ରଣକୌଶଳ ଆପଣାଏ, ସେହି ଢାଂଚାରେ ପିପିଲି ବିଜୟ ପାଇଁ ପ୍ରସ୍ତୁତି କରୁଛି ଶାସକ ଦଳ । ପିପିଲି ପର୍ଯ୍ୟବେକ୍ଷକ ଭାବେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀକୁ ୩ ଭାଗରେ ବିଭକ୍ତ କରାଯାଇଛି । ପିପିଲି, ଡେଲାଙ୍ଗ ଓ ପିପିଲି ଏନଏସି । ପିପିଲି ବ୍ଲକ ଦାୟିତ୍ୱ ଦିଆଯାଇଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ । ଡେଲାଙ୍ଗ ଦାୟିତ୍ୱରେ ରହିବେ ଉମା ସାମନ୍ତରାୟ ଓ ବିଭୂତି ବଳବନ୍ତରାୟ । ଆଉ ପିପିଲି ଏନ୍ଏସି ଦାୟିତ୍ୱରେ ରହିଛନ୍ତି ସୁଧୀର ସାମଲ । ଅନ୍ୟପଟେ ପିପିଲି ଉପନିର୍ବାଚନ ପାଇଁ ବିସ୍ତୃତ ରଣନୀତି କରିଛି ବିଜେଡି । ବାଲେଶ୍ୱର ସଦର ଉପନିର୍ବାଚନ ଶୈଳୀରେ ଦଳୀୟ ସଂଗଠନକୁ ପରିଚାଳନା କରିବା ପାଇଁ ନିଷ୍ପତି ନିଆଯାଇଛି । ପ୍ରତି ପଂଚାୟତ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି ।

ପିପିଲି ବିଧାନସଭା କ୍ଷେତ୍ରରେ ମୋଟ ୬୪ ପଂଚାୟତ ଓ ୱାର୍ଡ
ପ୍ରତ୍ୟେକ ପଂଚାୟତ ଦାୟିତ୍ୱରେ ରହିବେ ଜଣେ ବିଧାୟକ ଓ ଜଣେ ଯୁବ ଓ ଛାତ୍ରନେତା
୬୪ଟି ପଂଚାୟତ/ୱାର୍ଡକୁ ୫ଟି ଜୋନରେ ବିଭକ୍ତ କରାଯିବ
ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ

ଶୁଣିବାକୁ ମିଳୁଛି, ଉଭୟ ମହାରଥୀଙ୍କ ପତ୍ନୀ ଓ ପୁଅ, ଦଳୀୟ ଟିକେଟ ପାଇଁ ଆଶା ରଖିଛନ୍ତି । ପ୍ରତିଭା ମହାରଥୀଙ୍କ ପାଇଁ ଦଳର ଗୋଟିଏ ଗୋଷ୍ଠୀ ଲବି କରୁଥିବା ବେଳେ ଯୁବ ଓ ଛାତ୍ର ନେତା ରୁଦ୍ର ମହାରଥୀଙ୍କୁ ଟିକେଟ ଦେବା ପାଇଁ ଦାବି କରୁଛନ୍ତି । ତେଣୁ ମହାରଥୀଙ୍କ ଗଡ଼ କିଏ ସମ୍ଭାଳିବ, ଏହାକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ରହିଛି । ସେପଟେ ବିଜେପି ମଧ୍ୟ ପିପିଲି ଉପନିର୍ବାଚନକୁ ଗୁରୁତ୍ୱର ସହ ନେଉଛି । ନିକଟରେ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ, ଏ ନେଇ ଦଳୀୟ ନେତାଙ୍କ ସହ ଭୁବନେଶ୍ୱରରେ ସମୀକ୍ଷା କରିଥିଲେ । ସେହିପରି କଂଗ୍ରେସ ମଧ୍ୟ ଏକ ଟିମ୍ ଗଠନ କରି କାହାକୁ ପ୍ରାର୍ଥୀ କରାଯିବ, ଏ ନେଇ ମାନସ ମନ୍ଥନ କରୁଛି ।