କନକ ବ୍ୟୁରୋ : ମୈଦାନ ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ । ଧାମନଗର ଧନୁ ଧରି ପ୍ରତିଦ୍ୱନ୍ଦ୍ୱୀକୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛି ନୀଳନକ୍ସା । ରାଜନୈତିକ ସମୀକରଣ ଓ ରାଜନୀତି କରିଡରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଧାମନଗରରେ ଲଢେଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେବାକୁ ଯାଉଛି । କିନ୍ତୁ ଏହି ଲଢେଇରେ କିଏ କାହାକୁ ଧରାଶାୟୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଏ ଲଢେଇ ଏତେ ସହଜ ନୁହେଁ ଉଭୟ ବିଜେପି ଓ ବିଜେଡି ପାଇଁ । ଆଉ ପ୍ରାର୍ଥୀ ଘୋଷଣା ପରେ ଏହି ଲଢେଇ ଏବେ ଆହୁରି ରୋଚକ ହୋଇଛି । କାରଣ ବିଜେପିର ଅନୁକମ୍ପା ଭୋଟବ୍ୟାଙ୍କକୁ ହାଇଜାକ କରିବାକୁ ନୂଆ ମୁହଁ ଫର୍ମୁଲା ଆପଣାଇଛି ବିଜେଡି । ଯାହାର ଝଲକ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଫର୍ମୁଲା ଆପଣାଇ ବିଜେଡି କେବଳ ସଫଳତା ପାଇନି ବରଂ ବିଜେପିକୁ ନିଜ ଗଡରୁ ବେଦଖଲ କରିଛି । ଯାହାର ଝଲକ ପୂର୍ବରୁ ବାଲେଶ୍ୱର ସଦର ଉପ-ନିର୍ବାଚନରେ ଦେଖିବାକୁ ମିଳିଛି ।
ଧାମନଗର ଉପ-ନିର୍ବାଚନରେ ବିଜେପି ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ଯେହେତୁ ଏହି ଆସନରୁ ବିଷ୍ଣୁ ବିଧାୟକ ଥିଲେ ତେଣୁ ତାଙ୍କ ଅବର୍ତ୍ତମାନରେ ପୁଅ ସୂରଜଙ୍କ ପାଇଁ ଅନୁକମ୍ପା ଭୋଟ ସୃଷ୍ଟି ହେବା ସ୍ୱାଭାବିକ । ଆଉ ଏହାର ଫାଇଦା ନେବାକୁ ବିଜେପି ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଫଟୋ ସହ ନାମାଙ୍କନପତ୍ର ଦାଖଲ କରିବାକୁ ଶୋଭାଯାତ୍ରାରେ ଯାଇଥିଲେ ପୁଅ ସୂରଜ । ତେଣୁ ଅନୁକମ୍ପା ଭୋଟକୁ ଅସ୍ତ୍ର କରି ବିଜେପି ଧାମନଗର ମୈଦାନକୁ ଓହ୍ଲାଇଥିବା କୁହାଯାଉଛି । ଏହାଛଡା ପଞ୍ଚାୟତସ୍ତରରେ ଦଳର ସଙ୍ଗଠନ ସୁଦୃଢ ଥିବାରୁ ଧାମନଗରରେ ବିଜେଡିକୁ ବିଜେପି ଧରାଶାୟୀ କରିବ ବୋଲି ଦଳର ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଏଥର ଧାମନଗରବାସୀ ଉପ-ନିର୍ବାଚନ ଫଳାଫଳର ଟ୍ରେଣ୍ଡ ବଦଳାଇବେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
କିନ୍ତୁ ବିଜେପିର ଅନୁକମ୍ପା ଭୋଟକୁ ହାଇଜାକ କରିବାକୁ ବିଜେଡି ବାଲେଶ୍ୱର ସଦର ଫର୍ମୁଲା ଆପଣାଇଛି । ଆଉ ଏଥିରେ ସଫଳ ହେବାକୁ ନୂଆ ମୁହଁ ଭାବେ ଅବନ୍ତୀ ଦାସଙ୍କୁ ମୈଦାନକୁ ଓହ୍ଲାଇଛି । ଠିକ୍ ଯେମିତି ବାଲେଶ୍ୱର ସଦର ଉପ-ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ବିଜେପି ଏଠାରେ ତାଙ୍କ ପୁଅକୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସରପ୍ରାଇଜ କାର୍ଡ ଖେଳିବା ସହ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରି ବିଜୟ ମୁକୁଟ ପିନ୍ଧାଇଥିଲା । ନୂଆ ଚେହେରା ଚାଲ ଖେଳି ବିଜେପିର ଅନୁକମ୍ପା ଭୋଟବ୍ୟାଙ୍କକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା ବିଜେଡି । ଆଉ ଧାମନଗରରେ ମଧ୍ୟ ତାହାର ପୁନରାବୃତ୍ତି କରିବାକୁ ଦଳ ନୂଆ ଚେହେରା ଭାବେ ଅବନ୍ତୀଙ୍କୁ ସାମ୍ନାକୁ ଆଣିଛି । ଏହାଛଡା ପୂର୍ବରୁ ମିଶନ ଶକ୍ତି ସହ ଅବନ୍ତୀ ଯୋଡି ହୋଇଥିବାରୁ ଏହା ମାଧ୍ୟମରେ ମହିଳା ଭୋଟବ୍ୟାଙ୍କକୁ କରାୟତ୍ତ କରି ବିଜେପିର ଅନୁକମ୍ପା ଭୋଟବ୍ୟାଙ୍କକୁ ଭାଙ୍ଗିବାରେ ବିଜେଡି ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଉପ-ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ଓ ଧାମନଗରବାସୀ ବିଜେଡି ସହ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
୨୦୧୯ ନିର୍ବାଚନ ପରେ ହୋଇଥିବା ସବୁ ଉପ-ନିର୍ବାଚନରେ ବିଜୟୀ ହୋଇଛି ବିଜେଡି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିପିଲି, ତିର୍ତ୍ତୋଲ ଓ ବ୍ରଜରାଜନଗରରେ ଦିବଙ୍ଗତ ନେତାଙ୍କ ପରିବାରରୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ସାଉଁଟିବା ସହ ବିଜୟୀ ହୋଇଥିଲା ଦଳ । ବିଜେଡିର ଏହି ଅନୁକମ୍ପା ଭୋଟବ୍ୟାଙ୍କରେ ଭାଗ ବସାଇ ପାରିନଥିଲେ ବିରୋଧୀ । ତେବେ ବାଲେଶ୍ୱର ଉପ-ନିର୍ବାଚନରେ ବିଜେପିର ଅନୁକମ୍ପା ଭୋଟବ୍ୟାଙ୍କକୁ ନୂଆ ଚେହେରା ଫର୍ମୁଲା ଜରିଆରେ ହାଇଜାକ କରି ନେବାରେ ସଫଳ ହୋଇଥିଲା ବିଜେଡି । ତେଣୁ ସେହି ଫର୍ମୁଲା ଜରିଆରେ ବିଜେଡି ଧାମନଗରକୁ ଅକ୍ତିଆର କରିବ ନା ସୂରଜଙ୍କ ତେଜରେ ଧାମନଗରରେ ପୁଣିଥରେ ପଦ୍ମ ଫୁଟିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।