ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ କର୍ମୀଙ୍କୁ ଦେଲେ ଆହ୍ୱାନ, ବିରୋଧୀଙ୍କୁ ଦେଲେ ଜନବିରୋଧୀ ଓ ବିକାଶ ବିରୋଧୀ ଆଖ୍ୟା ।
କନକ ବ୍ୟୁରୋ : ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରାର ଶୁଭାରମ୍ଭ ସହ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବୀନ କହିଛନ୍ତି, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି । ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି । ସାଧାରଣ ଲୋକଙ୍କ ଖୁସି ଆମର ସବୁଠୁ ବଡ ଖୁସି । ସେଥିପାଇଁ ବିଜେଡି ଗରିବ, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ କାମ କରି ଆସୁଛି । ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କାମ କରୁଛି । ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବାକୁ ବହୁଦିନର ଉଦ୍ୟମ ଥିଲା । ଖୁସିର କଥା ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହୋଇଛି । ଓଡ଼ିଶା ଏବେ ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ନବୀନ କହିଛନ୍ତି, ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ସହ ଗେମଚେଞ୍ଜର ହୋଇଛି । ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି କରିଛି । ସ୍କୁଲ ରୂପାନ୍ତରଣ ପାଇଁ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ଥିବା ତାରତ୍ୟମ ଦୂର ହୋଇଛି । ଖାଦ୍ୟ ସୁରକ୍ଷା ହେଉ କି ବିପର୍ଯ୍ୟୟ ପରିଚାଳନା କି କ୍ରୀଡା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ରୋଲମଡେଲ ସାଜିଛି । ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ସାରା ଦେଶରେ ୨ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ବିରୋଧୀଙ୍କର କାମ ପାଲଟିଛି । ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରିଥାନ୍ତି । ଏଥିପାଇଁ ଲୋକେ ସବୁବେଳେ ବିରୋଧୀ ଦଳକୁ ପ୍ରତ୍ୟାଖାନ କରି ଆସୁଛନ୍ତି ।
ବିରୋଧୀଙ୍କର ଜନବିରୋଧୀ ଓ ବିକାଶ ବିରୋଧୀ ନୀତିକୁ ଲୋକେ ଭଲ ଭାବେ ବୁଝିଛନ୍ତି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ଦଳକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।