କନକ ବ୍ୟୁରୋ : ବିଳମ୍ବରେ ହେଲେ ପଛେ ଶିମିଳିପାଳ ନିଆଁକୁ ନେଇ ତତ୍ପରତା ପ୍ରକାଶ କରିଛି ଶାସକ ବିଜୁ ଜନତା ଦଳ ବିଜେଡି। ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିବା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପୃଥକ ପୃଥକ ଭାବେ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Advertisment

ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ନିଆଁ ଲାଗିଥିବା ଅଞ୍ଚଳକୁ ପୃଥକ ଦଳ ଭାଗ ଭାଗ ହୋଇ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସେହିପରି ମହିଳା ବିଜେଡି ପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଂଲଗ୍ନ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜଙ୍ଗଲ ନିଆଁକୁ ନେଇ ବୃଥା ରାଜନୀତି କରି ବନ୍ଦ ଡାକରାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବନ୍ଦ ପରିବର୍ତ୍ତେ ବନ୍ଦ ଡ଼ାକରା ଦେଇଥିବା ଯୁବଛାତ୍ର ସଙ୍ଗଠନ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ଯୋଗ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

ମହାଶିବରାତ୍ରୀ ଗୁରୁବାର ଦିନ ଯଶୀପୁରଠାରେ ନିଆଁ ଲିଭା କାର୍ଯ୍ୟରେ ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଯୋଗଦେବା ନେଇ ଦଳ ପକ୍ଷରୁ କୁହାଯାଇଛି। ସାମଗ୍ରିକ ଭାବେ ଶିମିଳିପାଳ ନିଆଁ ଲିଭାଇବାକୁ ବନ ବିଭାଗ, ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା ପୂର୍ବକ କିପରି ନିଆଁ ଲିଭାଯାଇପାରିବ ସେନେଇ ବିଜେଡି ଉଦ୍ୟମ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।