ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡି । ମଇଦାନକୁ ଓହ୍ଲାଇଲେ ନବୀନ । ଡବଲ୍ ଇଞ୍ଜିନ୍ ନାରାକୁ କାଉଣ୍ଟର ପାଇଁ ଦେଲେ ଯୋଡ଼ି ଶଙ୍ଖ ସ୍ଲୋଗାନ

81

କନକ ବ୍ୟୁରୋ: ବିଜେଡି ପାଇଁ ଆଜି ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୧ଟି ସଂସଦୀୟ କ୍ଷେତ୍ରର ୩୬ଟି ଜାଗାରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ । ତେବେ ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିବା ସହ ନବୀନ କହିଛନ୍ତି, ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ । ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ହିଞ୍ଜିଳିରୁ ବିଜେଡିର ପ୍ରଚାର ଅଭିଯାନ
  • ମଙ୍ଗ ଧରିଲେ ନବୀନ

ବିଶାଳ ଜନସଭା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ନମ୍ବର ୱାନ ଷ୍ଟାର କ୍ୟାମ୍ପେନର୍ ନବୀନ ପଟ୍ଟନାୟକ । ନିଜ ବିଧାନସଭା ଆସନ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ପରେ ଶେରଗଡ଼ରେ ବି ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ । ଦୁଇଟି ଜନସଭାରେ ଉଦବୋଧନ ଦେଇ କହିଛନ୍ତି, ଯୋଡ଼ି ଶଙ୍ଗ ହେଉଛି ଓଡ଼ିଶା ଓ ବିକାଶର ପରିଚୟ । ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି କହିବା ସହ ସେମାନଙ୍କ ଆଶୀର୍ବାଦରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ୨୦୨୪ରୁ ୨୦୩୪ ହେବ ଓଡ଼ିଶାର ଦଶକ, ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ । ୨୦୩୬ ସୁଦ୍ଧା ଓଡିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ । ଏହାସହ କହିଛନ୍ତି, ସାରା ଦେଶକୁ ବିକାଶ ବାଟ ଦେଖାଇବ ଓଡ଼ିଶା । ଶିକ୍ଷା, ସ୍ୱାସ୍ଥ୍ୟ ସବୁକ୍ଷେତ୍ରରେ ରୂପାନ୍ତରଣ ଘଟିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

ଓଡ଼ିଶାର ଚାଷୀ ଓ ମିଶନ ଶକ୍ତିର ମାଆମାନେ ବିନା ସୁଧରେ ଋଣ ପାଉଛନ୍ତି, ସଶକ୍ତ ଓଡ଼ିଶା ଗଠନରେ ଏହା ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି ନବୀନ । ଏହାସହ ଜନସଭାରେ ବିରୋଧୀ ଦଳକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ବିରୋଧରେ ବିରୋଧୀ ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ନବୀନଙ୍କ ନିର୍ବାଚନୀ ସଭାରେ ସାମିଲ ହୋଇଥିଲେ ଓଲିଉଡ୍ ଷ୍ଟାର ବାବୁସାନ୍ । ଗୀତ ଗାଇ ବିଜେଡି ପାଇଁ ସେ ପ୍ରଚାର କରିଛନ୍ତି । ସେହିପରି ବିଜେଡି ନେତା କାର୍ତ୍ତିର୍କ ପାଣ୍ଡିଆନ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ସେ ଅପିଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏଥର ୩୬ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ସେହିପରି କାର୍ତ୍ତିକ ପାଣ୍ଡିଆନ ୧୦୨ଟି ସ୍ଥାନରେ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି ।