ରାଜନୀତିର ଖେଳରେ କ୍ରିକେଟ୍ ଆଉ ଫୁଟବଲ୍ । ମୟୂରଭଞ୍ଜରେ ଶାସକ ଦଳ ଆରମ୍ଭ କରୁଛି ଏମପିଏଲ୍ । ଯୁବ ଭୋଟରଙ୍କୁ ହାତେଇବାକୁ ଲକ୍ଷ୍ୟ

104

କନକ ବ୍ୟୁରୋ: ରାଜନୀତିରେ ଖେଳ ଓ ଖେଳକୁ ନେଇ ରାଜନୀତି ଭିତରେ ଏବେ ଚର୍ଚ୍ଚାରେ ରହିଛି, ମୟୁରଭଂଜ ପ୍ରିମିୟର ଲିଗ୍ । କାରଣ ଏହି ଟୁର୍ଣ୍ଣାମେଟ୍ କୌଣସି କ୍ରୀଡ଼ା ସଂଗଠନ କରୁନାହିଁ ବରଂ ଶାସକ ଦଳ ପକ୍ଷରୁ ଆୟୋଜିତ ହେଉଛି ଏକ ମେଗା ସ୍ପୋର୍ଟସ୍ ଇଭେଂଟ । କ୍ରିକେଟ୍ ଓ ଫୁଟବଲ ଭଳି ଲୋକପ୍ରିୟ ଖେଳକୁ ନେଇ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ମୟୁରଭଂଜ ପ୍ରିମିୟର ଲିଗ୍ ।

ତେବେ ଖେଳ ଭିତରେ କ’ଣ ରହିଛି ରାଜନୀତି?

ରାଜନୀତିରେ ପରୀକ୍ଷା-ନିରୀକ୍ଷା ନୂଆ କଥା ନୁହେଁ । ଆଉ ଏହି ପ୍ରୟୋଗ ଭିତରେ ଖେଳକୁ ସାମ୍ନାକୁ ଆଣିଛି ବିଜେଡି । ଆରମ୍ଭ ହେବାକୁ ଯାଉଛି – ରାଜନୀତିର ଖେଳ, ମୟୁରଭଂଜ ପ୍ରିମିୟର ଲିଗ୍ !
ଖେଳ ଭିତରେ କ’ଣ ରହିଛି ରାଜନୀତି?

ପଂଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ, ଶାସକ ବିଜେଡି ଦଳ ପାଇଁ ସବୁବେଳେ ଆହ୍ୱାନ ହୋଇ ରହି ଆସିଛି ମୟୁରଭଞ୍ଜ ଜିଲ୍ଲା । ଆଉ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ରାଜ୍ୟ କାର୍ଯ୍ୟକାରଣୀରେ ବିଜେଡି କରିଛି ନୂଆ ରଣନୀତି । ଯାହାର ନାଁ ରହିଛି-ମୟୁରଭଂଜ ପ୍ରିମିୟର ଲିଗ୍। ତେବେ କାହିଁକି ଲୋଡ଼ା ପଡ଼ିଲା ଏହି ରଣନୀତି?

– ୨୦୧୭ ପଂଚାୟତ ନିର୍ବାଚନରେ ବଡ଼ ବିପର୍ଯ୍ୟାୟ ସମ୍ମୁଖିନ ହୋଇଥିଲା ବିଜେଡି
– ହାତରୁ ଖସିଯାଇଥିଲା ମୟୁରଭଞ୍ଜ ଜିଲ୍ଲାର ଅନେକ ଜିଲ୍ଲା ପରିଷଦ ଆସନ
– ପଂଚାୟତ ନିର୍ବାଚନର ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଦେଖିଲା ବିଜେଡି
– ଜିଲ୍ଲାର ୯ଟି ବିଧାନସଭା ଆସନରୁ ଦଳକୁ ମିଳିଲା ମାତ୍ର ୩ଟି ଆସନ, ୬ଟି ଆସନ ଜିତିଲା ବିଜେପି
– ଲୋକସଭା ଆସନରେ ବି ପରାଜୟର ମୁହଁ ଦେଖିଥିଲା ବିଜେଡି

ଆଉ ଏହାରି ଭିତରେ ବଦଳି ଯାଇଛି ରଣନୀତି, ୨୦୧୯ ପରେ ବିଜେଡିର ଫୋକସରେ ରହିଛି ମୟୁରଭଞ୍ଜ ଜିଲ୍ଲା । ଏଥିପାଇଁ ମୟୁରଭଞ୍ଜକୁ ଦୁଇଟି ସାଂଗଠନିକ ଜିଲ୍ଲା ଭାବେ ବିଭକ୍ତ କରାଯାଇଛି । ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଅରୁଣ ସାହୁଙ୍କୁ ହଟାଇ, ବିଜେଡିର ପ୍ରଭାବଶାଳୀ ନେତା ତଥା ସାଂଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳର ସଂଗଠନକୁ ମଜବୁତ କରିବା ପାଇଁ ପ୍ରତିଦିନ ନୂଆ ନୂଆ ପଦେକ୍ଷପ ସହ ରଣନୀତି କରୁଛି ବିଜେଡି । ମୁଣ୍ଡ ଉପରେ ପୌର ନିର୍ବାଚନ ସହ ପଂଚାୟତ ନିର୍ବାଚନ । ତେଣୁ ତା ପୂର୍ବରୁ ବିଜେଡି କରୁଛି ମାଷ୍ଟର ପ୍ଲାନ୍ । ଆଉ ସାମ୍ନାକୁ ଆସିଛି ମୟୁରଭଂଜ ପ୍ରିମିୟର ଲିଗ୍ ।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଂଜ ପ୍ରିମିୟର ଲିଗ ବା ଏମପିଏଲ୍ । କ୍ରିକେଟ ଓ ଫୁଟବୁଲ ଖେଳକୁ ନେଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ଏହି ବଡ କ୍ରୀଡାକୁମ୍ଭ । ଏଥିପାଇଁ ପ୍ରସ୍ତୁତି ସହ ଟିମ ଚୟନ ମଧ୍ୟ ଚୁଡାନ୍ତ ପର୍ଯ୍ୟାୟ ସହ ପହଂଚିଲାଣି । ଆଉ ଯେଉଁ ଦଳ ଫାଇନାଲରେ ଜିତିବ ସେହି ଦଳକୁ ୧ ଲକ୍ଷ , ଉପ ବିଜେତାକୁ ୫୦ ହଜାର ଓ ମ୍ୟାନ ଅଫ ସିରିଜ ପାଇଁ ହିରୋ ସିବିଜେଡ ଗାଡି ପୁରଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ଆଉ ଏହା ସଫଳ ହେଲେ ସାରା ରାଜ୍ୟରେ ସମାନ ଫର୍ମୁଲା ଆପଣାଇବା ନେଇ ଚର୍ଚ୍ଚା ହେଉଛି ।