ଅପରାଜିତାଙ୍କୁ ଜବାବ ଦେଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସୁଲତା ଦେଓ । କହିଲେ, ଅଫିସ ସିଲ୍ ପ୍ରଶାସନିକ ସ୍ତରରେ ହୋଇଥାଏ, ଏଥିରେ ବିଜେଡିର କିଛି ଭୂମିକା ନାହିଁ ।

210

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ସେ କହିଛନ୍ତି କି, ଅଫିସ ସିଲ୍ ପ୍ରଶାସନିକ ସ୍ତରରେ ହୋଇଥାଏ, ଏଥିରେ ବିଜେଡିର କିଛି ଭୂମିକା ନାହିଁ କି ବିଜେଡି ଏଥିରେ କିଛି କହିବ ନାହିଁ ।

ପୂର୍ବରୁ ଧନ ଜୀବନକୁ ଗୁରୁତ୍ୱ ଦେଇ ଅନେକ କୋଠା ସିଲ ହୋଇଛି । ଆବଶ୍ୟକ ପଡିଲେ ଆହୁରି ଅନେକ କୋଠା ଓ ହୋଟେଲ ସିଲ ହେବ । କରୋନା ବିରୋଧରେ ଲଢେଇ ଆମେ ସମସ୍ତେ ଲଢୁଛେ । କରୋନା କୌଣସି ରାଜନୈତିକ ଦଳ ଦେଖି ଆସେନି । ଏହି ପ୍ରସଙ୍ଗରେ ରାଜନୀତି ନକରିବା ଠିକ ହେବ ବୋଲି କହିଛନ୍ତି ସୁଲତା ଦେଓ ।

ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ଭିଡିଓକୁ ନେଇ ରାଜନୀତି ଜୋର ଧରିଛି । ତେବେ ଏହି ଭିଡିଓରେ କୋଭିଡ ନିୟମ ଉଲ୍ଲଘଂନ ହୋଇଥିବା ଅଭିଯୋଗ କରିଥିଲେ ଦିବ୍ୟ ଶଙ୍କର ମିଶ୍ର । ଏନେଇ ସେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏବେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହାସହ ସେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ଉମା ସାମନ୍ତରାୟ ଓ ସମୀର ଦାଶଙ୍କ ନାଁରେ ଅଭିଯୋଗ ଆଣିଥିଲେ ।

ଏପରିକି ଏନେଇ ଆସନ୍ତା ୨ ଦିନ ମଧ୍ୟରେ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି କହିଛନ୍ତି ଅପରାଜିତା । କୋଭିଡ ନିୟମ ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଯେଉଁ ଭିଡ଼ିଓକୁ ନେଇ ଅପରାଜିତାଙ୍କ ଅଫିସ ସିଲ୍ କରାଯାଇଛି ସେନେଇ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଜନ୍ମଦିନ ଭିଡ଼ିଓରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କଥାକୁ ଖୋଲାଖୋଲି ସ୍ୱୀକାର ନ କରି ପରୋକ୍ଷରେ ଏହି ସମୟରେ ଭାବନାତ୍ମକ ହୋଇ ମାସ୍କ ଖୋଲିଥିଲି ବୋଲି କହିଛନ୍ତି ଅପରାଜିତା । ତେବେ କିଛି ସମୟ ମଧ୍ୟରେ ପୁଣିଥରେ ମାସ୍କ ପିନ୍ଧିଥିଲି ବୋଲି ସେ କହିଛନ୍ତି ।