କନକ ବ୍ୟୁରୋ: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି। ପ୍ରଥମେ କ୍ରୀଡା ସମ୍ମାନରୁ ବିଜୁ ବାବୁଙ୍କ ନାଁ ହଟାଇବାକୁ ଘୋଷଣା କଲେ ।ପୁଣି ଆଜି ଘୋଷଣାକୁ ପ୍ରତ୍ୟାହୃତ କରିନେଲେ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ବଦଳାଇବାକୁ ରାଜ୍ୟ କ୍ରୀଡା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବା କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ କହୁଛନ୍ତି ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ । ଏହାକୁ ନେଇ ସରକାରଙ୍କୁ ବିଜେଡି କଡା ସମାଲୋଚନା କରିଛି ।

Advertisment

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି , ‘ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା ଅସହିଷ୍ଣୁତା ବାରି ହେଉଛି। ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣିପାରୁନି। ବିଜୁବାବୁଙ୍କ ଲିଗାସି ହଟାଇବାକୁ ପ୍ରୟାସ କରୁଛନ୍ତି। ବିଜୁ ବାବୁ ଓଡ଼ିଆ ଅସ୍ମିତାର ପରିଚୟ ନା ନାହିଁ ସ୍ପଷ୍ଟ କରନ୍ତୁ ସରକାର। ଜାତି ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଭଲ ଭାବେ ବୁଝି ନାହିଁ ବିଜେପି। ବିଜୁ ବାବୁଙ୍କ ଅବଦାନକୁ ଅବମାନନା କରିବା ଓ ତାଙ୍କ ନାଁ ଜନ ମାନସରୁ ହଟାଇବାକୁ ପ୍ରୟାସ କରୁଛନ୍ତି ନୂଆ ବିଜେପି ସରକାର। ଭଲ କାମ କରି ଲୋକଙ୍କ ପ୍ରିୟ ହୁଅନ୍ତୁ। ପ୍ରବାଦ ପୁରୁଷଙ୍କ ନା ଜନମନସରୁ ହଟାଇବାବୁ ଅପଚେଷ୍ଟା ନକରନ୍ତୁ’।

‘ସରକାର ନିଜେ କଣ କରୁଛନ୍ତି ଜାଣି ପାରୁନାହାଁନ୍ତି। ମୋହନ ବାବୁଙ୍କ ଆୟତରେ ରାଜ୍ୟ ସରକାର ନାହାନ୍ତି। କ୍ରୀଡା ବିଭାଗ ବିଜ୍ଞପ୍ତି ଜାରି କରିଛି ମୁଖ୍ୟମନ୍ତ୍ରୀ ଖଣ୍ଡନ କରୁଛି। ଅନେକ ବିଭାଗ ଅନେକ ଟିକା ଟିପ୍ପଣୀ ଦେଉଛନ୍ତି ଅନ୍ୟ ଜଣେ ମନା କରୁଛନ୍ତି। ଏହା ଅପରିପକ୍ୱ, ଅନଭିଜ୍ଞ ସରକାର। ଇତିହାସକୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନକରନ୍ତୁ ସରକାର। ଓଡ଼ିଶା ଲୋକଙ୍କ ଭାବାବେଗକୁ କୁଠାରଘାତ ହେବା ଭଳି କାମ ନକରନ୍ତୁ ସରକାର। ସରକାର ଆକ୍ରୋଶମୂଳକ ବ୍ୟବହାର କରୁଛନ୍ତି । ଗତ ସରକାର ଙ୍କସବୁ ଉପଲବ୍ଧିକୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ଲକ୍ଷ୍ମୀ ବସ୍ ରଙ୍ଗ ବଦଳେଇବା, ଭୁଲ୍ ତଥ୍ୟ ଦେବା, ଲୋଗୋ ଚେଞ୍ଜ କରିବା ଭଳି ପଦକ୍ଷେପ ନେଉଛନ୍ତି। ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ନ କରନ୍ତୁ’ ବୋଲି କହିଛନ୍ତି ଲେଖାଶ୍ରୀ ।