କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ପ୍ରାର୍ଥୀ ଘୋଷଣା ବିଳମ୍ବ ପ୍ରସଙ୍ଗକୁ ନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ବୋଲି କହୁଛି ହେଲେ ବାସ୍ତବତା ପୁରା ଅଲଗା । ଏଯାଏଁ ବିଜେପି ୨୧ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି କିନ୍ତୁ ଗୋଟିଏ ବି ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହିଁ । ପ୍ରକୃତ କଥା ହେଉଛି ବିଧାନସଭା ପାଇଁ ବିଜେପି ୧୪୭ ପ୍ରାର୍ଥୀ ପାଉନାହିଁ । ଫଳରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ପାରୁନାହିଁ ବିଜେପି।

Advertisment

ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପାଖରେ ୧୪୭ ଜଣ ପ୍ରାର୍ଥୀ ନାହାଁନ୍ତି। ତେଣୁ ସେମାନେ ଜନ ବିରୋଧୀ ଏବଂ ଅପରାଧିକ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି । ଏଥିରୁ ବିଜେପିର ଅସହାୟତା ସାରା ଓଡିଶାବାସୀଙ୍କ ପାଖରେ ସ୍ପଷ୍ଟ ହୋଇଛି ।

ଏହାର ଜବାବ ଦେଇଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ବିଜେପିକୁ ସାର୍ଟିଫିକେଟ ଦେବା ପାଇଁ ସାଢେ ଚାରି କୋଟି ଓଡିଆ ଅଛନ୍ତି । ଦଳକୁ ଅନ୍ୟ କାହାର ସାର୍ଟିଫିକେଟ ଆବଶ୍ୟକତା ନାହିଁ । ଦଳ କେତବେଳେ ପ୍ରାର୍ଥୀ ଘୋଷଣା କରିବ ତାହା ଆଭ୍ୟନ୍ତରୀଣ ବ୍ୟାପାର । ଗୋଟିଏ ସ୍ଥାଣୁ ସରକାରକୁ ହଟାଇବା ପାଇଁ ବିଜେପି ବଛାବଛା ପ୍ରାର୍ଥୀ ମୈଦାନକୁ ଓହ୍ଲାଇବ ।