କନକ ବ୍ୟୁରୋ: ଆଗକୁ ନିର୍ବାଚନ । ଆଉ ସବୁଥର ଭଳି ବିଜେଡି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବ୍ରହ୍ମପୁରରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଦଳର ହେଭିୱେଟ୍ ନେତା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ରଣନୀତି ଆରମ୍ଭ କରିଛି ଦଳ ।

Advertisment

ମକର ମହୋତ୍ସବ ପାଳନ ବାହାନାରେ ଗୋପାଳପୁରର ଜିଲ୍ଲା ବିଜେଡି ନେତାଙ୍କ ଶକ୍ତି ପ୍ରଦର୍ଶନ ।  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଏହି ଆସନକୁ ଅକ୍ତିଆର କରିବାକୁ ଦଳ ସବୁପ୍ରକାର କୌଶଳ ଆପଣାଇଛି । ବ୍ରହ୍ମପୁର ବିଧାୟକ ବିକ୍ରିମ ପଣ୍ଡା ଏବେ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି । ଆଉ ନିର୍ବାଚନ ପାଖେଇଆସୁଥିବାବେଳେ ମକର ସଂକ୍ରାନ୍ତି ପାଳନ ବାହାନାରେ ଗୋପାଳପୁରରେ ଜିଲ୍ଲାର ନେତାଙ୍କୁ ଏକାଠି କରି ଦମ ଦେଖାଇଛନ୍ତି ବିକ୍ରମ । ମନ୍ତ୍ରୀ ଉଷାଦେବୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଓ ଆସ୍କା ସାଂସଦ, ଜିଲ୍ଲାର ବିଧାୟକ ଓ ପୁରୁଖା ନେତା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରିଛନ୍ତି ।

ବଡକଥା ହେଲା, ଗଂଜାମ ବିଜେଡି ପାଇଁ ଗୋପାଳପୁର ସଙ୍ଗଠନ ଅଧିକ ଗୁରୁତ୍ୱ ବହନ କରିଛି । ପ୍ରଦୀପଙ୍କ ବିଜେଡିରୁ ବିଦା ହେବା ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁର ସଙ୍ଗଠନ ସମ୍ଭାଳୁଛନ୍ତି । ଗୋପାଳପୁର ରାଜନୀତି ସହ ବିକ୍ରମ ଭଲଭାବେ ଜଡିତ ଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି । ଆଉ ମକର ଉତ୍ସବ ପାଳ ବାହାନାରେ ଜିଲ୍ଲା ନେତାଙ୍କୁ ଏକାଠି କରି ନିଜର ଦବଦବା ଜାହି କରିଛନ୍ତି ବିକ୍ରମ । ତା ସହ ତେଲୁଗୁ ଭୋଟରଙ୍କୁ ବି ବିଜେଡି ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି ।

ମକର ଉତ୍ସବ ପାଳନ ବାହାନାରେ ବିଜେଡି ନେତାଙ୍କ ଏକାଠି ହେବାକୁ ନେଇ ଗୋପାଳପୁରର ରାଜନୀତି ସରଗରମ ହୋଇଛି ।  ଏହି ଆଳରେ ପ୍ରଦୀପ ପାଣିଗ୍ରାହୀଙ୍କୁ  ଚେକ ଦେବାକୁ ବିଜେଡି ପ୍ରସ୍ତତ ହେଉଥିବା ଚର୍ଚ୍ଚା ଜୋର ଧରିଛି ।