ବିଜେଡି-ବିଜେପି ସରିଲା ସମଦୂରତା ! ହାତରୁ କ୍ଷମତା ଯିବା ପରେ ବଦଳିଲା କି ବିଜେଡିର ଆଭିମୁଖ୍ୟ ? ଯାହା ୧୦ ବର୍ଷରେ ହୋଇନଥିଲା ତାହା ଦେଖିବାକୁ ମିଳିଲା…

4,160

କନକ ବ୍ୟୁରୋ: ୧୦ବର୍ଷ ପରେ ବଦଳିଲା କି ବିଜେଡିର ଆଭିମୁଖ୍ୟ? କେନ୍ଦ୍ରରେ ବିଜେପି ସରକାର ଗଢ଼ିବା ଦିନ ଠାରୁ ଯାହା କେବେ ଦେଖିବାକୁ ମିଳିନଥିଲା, ଓଡିଶାରେ ବିଜେଡି କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ତାହା ଦେଖିବାକୁ ମିଳିଛି । ୧୦ ବର୍ଷ ହେଲା ସଂସଦରେ ବିଜେଡି କେବେ ବିଜେପି ସରକାର ବିରୋଧରେ, ପ୍ରତିବାଦ କରିନଥିବା ବେଳେ ଶୁକ୍ରବାର ହଙ୍ଗାମା କରିଛି । ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଇଣ୍ଡି ମେଂଟର ସାଂସଦଙ୍କ ସ୍ୱରରେ ତାଳ ମିଳାଇ ବିଜେଡି ସାଂସଦମାନେ ରାଜ୍ୟସଭାର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ । ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାର ଆଲୋଚନା ପାଇଁ ଦାବି କରିଥିଲେ । ଏପରିକି କକ୍ଷତ୍ୟାଗ କରି ଚାଲି ଯାଇଥିଲେ ବିଜେଡି ସାଂସଦ ।

ମୋଦୀ ସରକାର ବିରୋଧରେ ଅଚାନକ ବିଜେଡି ଆଭିମୁଖ୍ୟ ବଦଳାଇବା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସମଦୂରତାର କଥା କହି ଆସୁଥିବା ବିଜେଡି, ଓଡିଶାରେ ବିରୋଧୀ ଆସନରେ ବସିବା ପରେ, ରଣନୀତି ବଦଳାଉଥିବା ଚର୍ଚ୍ଚା ହେଉଛି । କେନ୍ଦ୍ରରେ ବିଜେଡିର ଆଭିମୁଖ୍ୟ ବଦଳିବା ପରେ, ଆରମ୍ଭ ହୋଇଛି ବିଜେଡି, ବିଜେପି ବୟାନବାଜି । ବିଜେଡି କହିଛି, ରାଜ୍ୟ ସ୍ୱାର୍ଥ ପାଇଁ ପ୍ରସଙ୍ଗ ଭିତ୍ତିରେ ବିଜେଡି ସମର୍ଥନ କରିଥାଏ । କିନ୍ତୁ ନିଟ୍ ଏକ ଉଦବେଗଜନକ ପ୍ରସଙ୍ଗ ହୋଇଥିବାରୁ ବିଜେଡି ବିରୋଧ କରୁଛି । ତେବେ ବିଜେଡି ଦିଲ୍ଳୀରେ ତାର ଅସ୍ଥିତ୍ୱ ଖୋଜୁଛି କହି କଟାକ୍ଷ କରିଛି ବିଜେପି ।

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭା ସାଂସଦମାନଙ୍କୁ ଡାକି, ସଂସଦରେ ଦୃଢ଼ ବିରୋଧୀ ଦଳ ଭାବେ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେଡି ସୁପ୍ରିମୋ । ଆଗାମୀ ଦିନରେ ଓଡିଶା ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।