କନକ ବ୍ୟୁରୋ : ଗତକାଲି ୫ ରାଜ୍ୟର ବିଧାନସଭା ଫଳାଫଳ ଆସିଥିବା ବେଳେ ୪ଟି ରାଜ୍ୟରେ ବିଜେପି ବିଜୟ ବାନା ଉଡାଇଛି । ଯାହାକୁ ନେଇ ରାଜ୍ୟ ବିଜେପି ଶିବିର ମଧ୍ୟ ବେଶ ଉତ୍ସାହିତ । ଏପରିକି ଆଗକୁ ଓଡ଼ିଶାରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ବିଜେପି ନେତା ଆଶା ବାନ୍ଧିଛନ୍ତି । କିନ୍ତୁ ଏହି ବିଜୟକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ୪ ରାଜ୍ୟର ଫଳାଫଳ ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କାରଣ ଶାସନ କ୍ଷମତାକୁ ଫେରିଥିବା ୪ ରାଜ୍ୟରେ ପୂର୍ବରୁ ସରକାରରେ ଥିଲା ବିଜେପି । ଆଉ ଚଳିତ ନିର୍ବାଚନରେ ମଧ୍ୟ ଲୋକେ ବିଜେପି ସପକ୍ଷରେ ମତ ଦେଇଛନ୍ତି । କିନ୍ତୁ ପଞ୍ଜାବରେ ଜନମତ ବଦଳିଛି । ଆପକୁ ବହୁମତ ମିଳିଛି । ମାତ୍ର ଜାତୀୟ ସ୍ତରର ରାଜନୈତିକ ଷ୍ଟ୍ରାଟେଜି ବା ଲହର ଆଞ୍ଚଳିକ ସ୍ତରରେ କୌଣସି କାମ ଦେଇନାହିଁ । ପଶ୍ଚିମବଙ୍ଗ ଓ ଓଡିଶା ଭଳି ଅନେକ ରାଜ୍ୟରେ ଆଞ୍ଚଳିକ ଦଳର ବେଶ ଦବଦବା ରହିଛି । ତେଣୁ ୫ ରାଜ୍ୟର ଏହି ଫଳାଫଳ ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ନେତା । ତେଣୁ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିବନି । ଜନମତ ସବୁବେଳେ ବିଜେଡି ପ୍ରତି ରହିଛି । ଲୋକଙ୍କ ଆସ୍ଥା ନବୀନଙ୍କ ସହ ରହିଛି ତେଣୁ ଆଗାମୀ ପୌର ନିର୍ବାଚନରେ ମଧ୍ୟ ପଞ୍ଚାୟତ ଫଳାଫଳର ପୁନରାବୃତ୍ତି ପ୍ରତିଫଳିତ ହେବ ।
ଏହାସହ ଦେବୀ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ୯୦ ଭାଗ ଜିଲ୍ଲା ପରିଷଦ ସିଟରେ ବିଜେଡିକୁ ବିପୁଳ ଜନ ସମର୍ଥନ ମିଳିଛି । ତା'ଠୁ ଅଧିକ ସମର୍ଥନ ପରୋକ୍ଷ ନିର୍ବାଚନରେ ମିଳିବ । ଯଦିଓ ସମିତି ସଭ୍ୟ ନିର୍ବାଚନ ନିର୍ଦଳୀୟ ହୋଇଥାଏ, ତଥାପି ୯୦ ପ୍ରତିଶତରୁ ଅଧିକ ବ୍ଲକ ଅଧ୍ୟକ୍ଷ ସିଟ ହାତେଇବ ବିଜେଡି । ବିଜେଡି ଘୋଡ଼ା ବେପାର କରୁଥିବା ନେଇ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ଦଳ । ବିଜେଡି କହିଛି ପରାଜିତ ଦଳ ଏ ଭଳି ଅଭିଯୋଗ ଆଣିବାଟା ସ୍ଵାଭାବିକ ।
ଅନ୍ୟପଟେ ପୌର ନିର୍ବାଚନରେ ବିଜେଡିକୁ ପଞ୍ଚାୟତ ନିର୍ବାଚନରେ ମିଳିଥିବା ସମର୍ଥନଠୁ ଅଧିକ ମିଳିବ । ଯେତେ ବଡ ଦଳ ସେତେ ଅସନ୍ତୁଷ୍ଟ ରହିବା ସ୍ଵାଭାବିକ ।ଓଡ଼ିଶାରେ ବିଜେଡି ଗୋଟେ ଅପରାଜେୟ ଦଳ । ସମସ୍ତେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିବା ସ୍ଵାଭାବିକ । କିନ୍ତୁ ସମସ୍ତେ ଏକ । ଦଳର ସୁପ୍ରିମୋଙ୍କ ଆଦର୍ଶରେ ଅନୁପ୍ରାଣିତ । ଅସନ୍ତୁଷ୍ଟ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।ସମସ୍ତଙ୍କୁ ବୁଝାସୁଝା ଜାରି ରହିଛି । ଅନେକ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାବର୍ତ୍ତନ କରିସାରିଲେଣି । ତେଣୁ ପୌର ନିର୍ବାଚନରେ ବିଜେଡି ପୂର୍ବପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଦେବୀ ।